ବଡ଼ ଘୋଷଣା : ରାଶନ କାର୍ଡଧାରୀଙ୍କୁ ମିଳିବ ୧ ହଜାର ଟଙ୍କାର କୋଭିଡ୍ ସହାୟତା
ଭୁବନେଶ୍ୱର : ବଡ଼ ଘୋଷଣା । ରାଜ୍ୟର ୩.୫ କୋଟି ରାଶନକାର୍ଡଧାରୀଙ୍କୁ ୧ ହଜାର ଟଙ୍କାର କୋଭିଡ୍ ସହାୟତା ପ୍ରଦାନ କରିବେ ସରକାର । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଏପରି ଭାବେ ସରକାର ମୋଟ ୩୫୦୦ କୋଟି ଟଙ୍କା ବ୍ୟୟ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍ (ଏସଏଫଏସଏସ) ଅଧୀନରେ ଯୋଗ୍ୟ ହିତାଧିକାରୀମାନେ ଏଥିରେ ଉପକୃତ ହୋଇପାରିବେ ।
ଦୈନିକ ଅର୍ଥ ବିତରଣର ରିପୋର୍ଟ ବିଭାଗୀୟ ହ୍ୱାଟସଆପ ଗ୍ରୁପ, ଇ-ମେଲକୁ ପଠାଇବାକୁ ଚିଫ୍ ସିଭିଲ ସପ୍ଲାଏଜ୍ ଅଫିସର୍ସ/ ସିଭିଲ ସପ୍ଲାଏଜ ଅଫିସର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିତରଣ ପ୍ରକ୍ରିୟା ଆରମ୍ଭ ହୋଇ ୭ ଦିନ ମଧ୍ୟରେ ସମାପ୍ତ ହେବ । ତେବେ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡକୁ ପ୍ରାଥମିକ ପରିଚୟ ପତ୍ର ଭାବେ ଗ୍ରହଣ କରାଯିବ । ବିଏସକେୱାଇ କାର୍ଡ ନଥିଲେ, ଏନଏଫଏସଏ ଓ ଏସଏଫଏସଏସ କାର୍ଡକୁ ପରିଚୟ ପତ୍ର ଭାବେ ଗ୍ରହଣ କରାଯିବ ।
୭ ଦିନ ଭିତରେ ହିତାଧିକାରୀଙ୍କୁ ୩୫୦ କୋଟି ଟଙ୍କା ବାଣ୍ଟିବା ପାଇଁ ନିର୍ଦ୍ଦେଶ ରହିଛି। କାଳିଆ ଟଙ୍କା ଭଳି ଏହି ସହାୟତା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଗଞ୍ଜାମ ଜିଲ୍ଲାକୁ ଏହା ବାବଦରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୮ କୋଟି ୧୫ ଲକ୍ଷ ୯୦ ହଜାର ୩୦୦ ଟଙ୍କା ଓ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୨ କୋଟି ୮୪ ଲକ୍ଷ ୪୭ ହଜାର ଟଙ୍କା ଦିଆଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଥିବା ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ବିଏସକେୱାଇ କାର୍ଡ ନ ଥିଲେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କୁ ବିଚାରକୁ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ହଜାରେ ଟଙ୍କା ଦେଇ ଜନମତକୁ ପ୍ରଭାବତ କରିବା ପାଇଁ ବିଜେଡି ସରକାର ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି। ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଦେଖିବାକୁ ବାକି ରହିଲା।