ଫିଲିପାଇନ୍ସରେ ସୁପର ଟାଇଫୁନର ତାଣ୍ଡବ : ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି
ମନିଲା : ଫିଲିପାଇନ୍ସରେ ସୁପର ଟାଇଫୁନର ତାଣ୍ଡବ । ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି । ଏଥିସହ ଏପର୍ଯ୍ୟନ୍ତ ୫୦ଜଣ ନିଖୋଜ ଥିବା ଫିଲିପାଇନ୍ସ ମିଡିଆ ରିପୋର୍ଟରୁ ଜଣାପଡିଛି । କେନ୍ଦ୍ରୀୟ ଭିଜାୟସ୍ ଅଞ୍ଚଳ ଏହାର ପ୍ରଭାବ ଅଧିକ ରହିଥିବାରୁ ଏଠାରେ ୧୨୯ ଜଣ ଓ ପାଶ୍ଚାତ ଭିଜାୟସରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବା ଫିଲିପାଇନ୍ସ ନ୍ୟାସନାଲ ପୋଲିସ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ସେହିପରି କାରାଗାରେ ୧୦, ଉତ୍ତର ମାଇଣ୍ଡାନାଓରେ ୭, ଜାମ୍ବୋଙ୍ଗାରେ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି ହୋଇଛି । ଏବଂ ୨୩୯ଜଣ ଆହତ ହୋଇଥିବା ବେଳେ ୫୦ ଜଣ ନିଖୋଜ ଅଛନ୍ତି । ସୁପର ଟାଇଫୁନ ଯୋଗୁଁ ପ୍ରାୟ ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧,୮୦,୮୦୦ଜଣ ଲୋକଙ୍କୁ ବିସ୍ଥାପିତ କରାଯାଇଛି ।
ସୂଚନା ଯେ, ଗତ ଗୁରୁବାର ଦିନ ଫିଲିପାଇନ୍ସରେ ସୁପର ଟାଇଫୁନ ତାଣ୍ଡବ ରଚିଥିଲା । ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୯୦ କିଲୋମିଟର ରହିଥିବା ରେକର୍ଡ କରାଯାଇଥିଲା । ଫିଲିପାଇନ୍ସ ଏକ ଦ୍ବୀପପୂଞ୍ଜର ସମୂହ ହୋଇଥିବା ବେଳେ ଏହି ଟାଇଫୁନରେ ଏକାଧିକ ଦ୍ବୀପ କ୍ଷତିଗ୍ରସ୍ତ ହୋଇଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଅନେକ ଅଞ୍ଚଳରେ ଯୋଗାଯୋଗ ଏବଂ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।