ନୀଳଗିରିରେ କର୍ମଚାରୀ ମରୁଡ଼ି : ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ କିଛିଦିନ ହେବ ଅଫିସରମାନଙ୍କର ମରୁଡ଼ି ଦେଖିବାକୁ ମିଳିଛି । ଏ ନେଇ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଏକ ପତ୍ର ଶୁକ୍ରବାର ଲେଖିଛନ୍ତି ।
ସୂଚନା ଯେ, ନୀଳଗିରି ଏକ ଉପଖଣ୍ଡ ହୋଇଥିବା ବେଳେ ଉପଜିଲାପାଳ ନୂତନ ନିଯୁକ୍ତି ନିର୍ଦ୍ଦେଶନାମା ଆସିଥିଲେ ମଧ୍ୟ ନୂତନ ଉପଜିଲାପାଳ ଆଜି ସୁଦ୍ଧା ଯୋଗ ଦେଇ ପାରି ନାହାନ୍ତି । ଅନୁରୂପ ଭାବେ ବିଡିଓଙ୍କ ବଦଳି ପରେ ଏହି ପଦବୀ ଖାଲି ପଡ଼ିଛି । ସେହିପରି ବ୍ଲକ ଶିକ୍ଷାଅଧିକାରୀ, ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ହିତାଧିକାରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନା ତ୍ରୁଟି ଦେଖିବାକୁ ମିଳୁଛି । ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର ସୁଧାର ନ ଆସିବାରୁ ଶେଷରେ ଏମ୍ପି ଶ୍ରୀ ଷଡ଼ଙ୍ଗୀ ଏହାର ପ୍ରତିକାର ପାଇଁ ମୁଖ୍ୟ ଶାସନସଚିବଙ୍କୁ ସମସ୍ତ ବିଷୟରେ ପ୍ରତିକାର କରିବାକୁ ଏକ ପତ୍ର ଲେଖିଛନ୍ତି ।