ସର୍ବନିମ୍ନ ଦରମା ଓ ସମାଜିକ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଜିଲାପାଳଙ୍କୁ ଦାବି କଲେ ବ୍ୟାଙ୍କମିତ୍ର
ବାଲେଶ୍ୱର : ଓଡ଼ିଶା ବ୍ୟାଙ୍କମିତ୍ର ଅସୋସିଏସନର ବାଲେଶ୍ୱର ଶାଖା ସଦସ୍ୟମାନେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ ସହ ସେମାନଙ୍କ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ଜୀବିକା ମିଶନ ଅଧିନରେ ଗ୍ରାମ ପଂଚାୟତସ୍ତରୀୟ ସ୍ୱୟଂ ସହାୟିକା ମହାସଂଘ ଦ୍ୱାରା ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଏହି ବ୍ୟାଙ୍କ ମିତ୍ରମାନେ ନିଯୁକ୍ତି ପାଇଥିଲେ ବି ଏ ଯାବତ ସର୍ବନିମ୍ନ ମଜୁରୀ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କ କାର୍ଯ୍ୟରେ ସହାୟତା ପ୍ରଦାନ କରୁଥିବାରୁ ସେମାନଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ମାସିକ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ପ୍ରଦାନ ପାଇଁ ସେମାନେ ଦାବୀ କରିଥିଲେ । ଏହା ସହିତ ସେମାନଙ୍କୁ ନିୟମିତ ବ୍ୟାଙ୍କ କର୍ମଚାରୀର ମାନ୍ୟତା, ପ୍ରତ୍ୟେକ ବ୍ୟାଙ୍କମିତ୍ରକୁ ପରିଚୟ ପତ୍ର, ଡ୍ରେସ କୋଡ ଓ ବ୍ୟାଙ୍କ କୋଡ ପ୍ରଦାନ, ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ଦରମା ପ୍ରଦାନ, ସେମାନଙ୍କୁ ପିଏଫ ଓ ଇଏସଆଇରେ ସାମିଲ, ପତ୍ୟେକ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ଆବଂଟନରେ ୫ଶହ ଟଙ୍କାର କମିସନ ପ୍ରଦାନ, ପ୍ରତ୍ୟେକ ବ୍ୟାଙ୍କମିତ୍ରଙ୍କୁ ବ୍ୟାଙ୍କ କାର୍ଯ୍ୟ ପାଇଁ ଲାପ୍ଟପ୍ ପ୍ରଦାନ, ବ୍ୟାଙ୍କମିତ୍ରଙ୍କୁ ବୀମାଭୁକ୍ତ କରିବା, ଗର୍ଭବତୀ ବ୍ୟାଙ୍କମିତ୍ରଙ୍କୁ ୬ମାସର ଛୁଟି ପ୍ରଦାନ, କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟାଙ୍କମିତ୍ରଙ୍କ ପରିବାର ସଦସ୍ୟଙ୍କୁ ଚାକିରୀ ତଥା ଆର୍ôଥକ ସହାୟତା ପ୍ରଦାନ ପ୍ରଭୃତି ଦାବୀ ସେମାନେ ଉପସ୍ଥାପନ କରିଥିଲେ । ଦୀର୍ଘ ଦିନ ଧରି ଏହି ଦାବୀ ସମ୍ପର୍କରେ ବିଭିନ୍ନ ସ୍ତରରେ ଉଠାଯାଇଥିଲେ ବି ବ୍ୟାଙ୍କମିତ୍ରଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନହେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସେମାନେ କହିଥିଲେ । ସେମାନଙ୍କ ନ୍ୟାୟୋଚିତ ଦାବୀ ସମ୍ପର୍କରେ ସଠିକ ବିଚାର ନ ହେଲେ ସେମାନେ ଆନ୍ଦୋଳନମୁଖୀ ହେବେ ବୋଲି ଚେତାବନୀ ଦେଇଥିଲେ । ଏହି ଅବସରରେ ସେମାନେ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ପୁଜାଶ୍ରୀ ବାରିକ, ଗୀତାଞ୍ଜଳି ମହାନ୍ତି, ସସ୍ମିତା ବେହେରା, ସୁଲୋଚନା ଜେନା, ସସ୍ମିତା ସାହୁ, ଗୀତାଞ୍ଜଳି ମାହାର୍ଣ୍ଣା, ପୁଷ୍ପାଞ୍ଜଳି ମହାନ୍ତି, ଆଲ୍ପନା ବିଶ୍ୱାସ, ମୀନତି ବେହେରା, ଲକ୍ଷ୍ମୀମଣୀ ମହଲ, ସୁଲଗ୍ନା ସେନ, ଗୀତାଞ୍ଜଳି ମହାପାତ୍ର, ରଶ୍ମିତା ଗିରି, ରଞ୍ଜିତା ନାୟକ, ତାପସୀ ରାଉତ, ତେଜସ୍ୱିନୀ ମାଝୀ, ଅନିତା ଧଳ, ମଞ୍ଜୁଶ୍ରୀ ମହାନ୍ତି ପ୍ରମୁଖ ବ୍ୟାଙ୍କମିତ୍ର ଉପସ୍ଥିତ ଥିଲେ ।