ଚିନ୍ତା ବଢ଼ାଉଛି ଓମିକ୍ରନ ଭାରିଆଣ୍ଟ : ଦିଲ୍ଲୀରେ ଆଉ ୧୦ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଭାରତରେ ଧୀରେ ଧୀରେ ବଢି ଚାଲଛି କୋରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପୁଣି ୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ୨୦ ଜଣ ଓମିକ୍ରନ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ତେବେ ସୂଚନା ଥାଉ କି କୋରୋନା ମହାମାରୀ ଆରମ୍ଭ ହେବା ପରେ ଦକ୍ଷିଣ ଆଫ୍ରିକାରେ ଭାଇରସ SARC-COV-2ର ହେଉଥିବା ପରିବର୍ତ୍ତନ ଉପରେ ନଜର ରଖିଛି ଏକ ଟିମ । ଭାଇରସର ଏହି ନୂଆ ରୂପକୁ ବି.୧.୧.୫୨୯ ଭାବେ ଚିହ୍ନଟ କରାଯାଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଓମିକ୍ରନ ନାମ ଦେଇଛି । ଏହା ଅଧିକ ଚିନ୍ତାଜନକ ହୋଇପାରେ ବୋଲି କହିଛି ସଂଗଠନ । ଓମିକ୍ରନର ଜେନେଟିକରେ ପରିବର୍ତ୍ତନକୁ ଲକ୍ଷ୍ୟରେ ରଖାଯାଇ ଏହା ଡେଲଟା ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ସଂକ୍ରମଣ କରୁଥିବା କୁହାଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଉପରେ ରହିଛି ।
ଦେଶରେ ଅନ୍ୟ ରାଜ୍ୟଗୁଡିକ ଯଥା ମହାରାଷ୍ଟ୍ରରୁ ଏବେ ସୁଦ୍ଧା ସର୍ବାଧିକ ୩୨ ଓମିକ୍ରନ ମାମଲା ପ୍ରକାଶ ପାଇଛି । ତା’ ପଛକୁ ରାଜସ୍ଥାନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରୁ ୮, କେରଳରୁ ୫, ଗୁଜୁରାଟ ୫, ତେଲେଙ୍ଗାନା ୪, ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧, ଦିଲ୍ଲୀରୁ ୧୦ ଏବଂ ଚଣ୍ଡିଗଡରୁ ଗୋଟିଏ ସଂକ୍ରମିତ ହୋଇଛନ୍ତି । ଦେଶର ପ୍ରଥମ ଓମିକ୍ରନ ମାମଲା ଗତ ୨ ତାରିଖ ଦିନ କର୍ଣ୍ଣାଟକରେ ଠାବ ହୋଇଥିଲା ।