ବିଜୟ ହଜାରେ ଟ୍ରଫି : ହ୍ୟାଟ୍ରିକ ବିଜୟ ସହ ଟେବୁଲ ଟପର ଓଡ଼ିଶା
ଥାନେ : ଚଳିତ ବିଜୟ ହଜାରେ ଟ୍ରଫିରେ ଟିମ ଓଡ଼ିଶାର ଦମଦାର ପ୍ରଦର୍ଶନ । ଆନ୍ଧ୍ର, ଗୁଜୁରାଟ ପରେ ଶନିବାର ବିଦର୍ଭକୁ ହରାଇ ଟୁର୍ନାମେଣ୍ଟରେ ଏଯାବତ ଅପରାଜେୟ ରହିଛି ଓଡିଶା । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ଟିମ୍ର ବିଜୟ ଧାରା ଜାରି ରହିଛି । ଉଭୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଛି । ଫଳରେ ଏଲିଟ ଗ୍ରୁପ ଏ’ରେ ଥିବା ଟିମ ଓଡିଶା ୩ଟି ମ୍ୟାଚ୍ରୁ ୧୨ ପଏଣ୍ଟ ସହ ଗ୍ରୁପର ଶୀର୍ଷରେ ରହିଛି ।
ଥାନେର ଦାଦୋଜୀ କୋନ୍ଦେବ ଷ୍ଟାଡିୟମରେ ବିଦର୍ଭକୁ ୬ ୱିକେଟରେ ହରାଇଛି ଓଡିଶା । ଏହି ମ୍ୟାଚ୍ରେ ଓଡିଶା ବୋଲରଙ୍କ ଘାତକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅଭିଶେକ ରାଉତ ବିଦର୍ଭ ବ୍ୟାଟିଂକ୍ରମକୁ ଧ୍ବସ୍ତ କରିବା ସହ ସର୍ବାଧିକ ୫ଟି ୱିକେଟ ହାତେଇଥିଲେ । ଫଳରେ ସଂପୂର୍ଣ୍ଣ ୫୦ ଓଭର ଖେଳିବାକୁ ଅସମର୍ଥ ହୋଇଥିଲା ବିଦର୍ଭ । ଦେବବ୍ରତ ପ୍ରଧାନ ୩ଟି ୱିକେଟ, ଆଶିଷ ରାଏ ଓ ଜୟନ୍ତ ବେହେରାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଓଡିଶା ବୋଲରଙ୍କୁ ସାମ୍ନା ନ କରିପାରି ମାତ୍ର ୧୪୮ ରନ୍ରେ ୪୨.୪ ଓଭରରେ ଅଲଆଉଟ୍ ହୋଇଯାଇଥିଲା ବିଦର୍ଭ ଟିମ ।
ଏହାପରେ ୧୪୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ ଓଡିଶା ୪୨ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । କ୍ୟାପଟେନ ଶ୍ରୁଭାଂଶୁ ସେନାପତି ୭୧ ରନ୍ର ଅପରାଜିତ ଅଧିନାୟକତ୍ବ ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ । ଓପନର ଅନୁରାଗ ଷଡଙ୍ଗୀ ୫୨ ଓ ଗୋବିନ୍ଦ ପୋଦ୍ଦାର ୧୩ ରନ୍ କରିଥିଲେ ।