୨୦୧୯ ବିଶ୍ବକପ ଟିମ ଚୟନ ସଠିକ୍ ନଥିଲା : ଶାସ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ହେଉଛି ନେତୃତ୍ବ ନବକଳେବର ସମୟ ଚାଲିଛି । ରୋହିତ ଶର୍ମାଙ୍କୁ ଟି-୨୦ ପରେ ଦିନିକିଆ ଦଳର ଅଧିନାୟକ ପଦ ମିଳିଥିବା ବେଳେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡ ମଧ୍ୟ କୋଚ୍ ଭାର ସମ୍ଭାଳିଛନ୍ତି । ବିଜୟ ପ୍ରତିଶତ ୭୦ରୁ ଅଧିକ ଥିଲେ ମଧ୍ୟ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ବିସିସିଆଇ ହଟଇବା ପରେ କିଛି ଫ୍ୟାନ୍ସ ଅସନ୍ତୋଷ ଜାହିର କରିଛନ୍ତି । ବିରାଟଙ୍କ ସମୟରେ ଟିମ କୌଣସି ଆଇସିସି ଟ୍ରଫି ଜିତି ନପାରିବା ଯୋଗୁଁ ସେ କ୍ୟାପଟେନ ପଦକ ହରାଇଥିବା କୁହାଯାଉଛି । ଅନ୍ୟପଟେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ୨୦୧୯ ବିଶ୍ବକପରେ ଭୁଲ୍ ଟିମ ଚୟନକୁ ଦୋଷ ଦେଇଛନ୍ତି । ବିଶ୍ବକପ ଟିମରେ ୩ଜଣ କିପର୍ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିବା ଉଚିତ ନିଷ୍ପତ୍ତି ନଥିଲା ବୋଲି ଶାସ୍ତ୍ରୀ କହିଛନ୍ତି ।
ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ତା’ ମାଟିରେ ଦୁଇଥର ଟେଷ୍ଟ ସିରିଜରେ ହରାଇବାରେ ସଫଳ ହୋଇଛି । ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି । ଅନ୍ୟପକ୍ଷରେ ଘରୋଇ ମାଟିରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜେୟ ରହିଛି । ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଟି-୨୦ ସିରିଜ୍ ଜିତିଛି । ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତ ମୋଟ ୪୩ ଟେଷ୍ଟ ଖେଳିଛି, ଯେଉଁଥିରୁ ୨୫ରେ ବିଜୟୀ ହୋଇଥିବା ବେଳେ ୧୩ଟିରେ ପରାସ୍ତ ହୋଇଛି । ୫ଟି ମ୍ୟାଚ୍ ଡ୍ର’ ରହିଛି । ସେହିପରି ଦିନିକିଆରେ ଭାରତ ୭୯ ମ୍ୟାଚରୁ ୫୩ ବିଜୟ, ୨୩ ପରାଜୟ, ଦୁଇଟି ଟାଇ ଏବଂ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ଟି-୨୦ ଫର୍ମାଟରେ ଭାରତ ୬୮ ମ୍ୟାଚରୁ ୪୪ ବିଜୟ ଓ ୨୦ଟିରେ ପରାସ୍ତ ହୋଇଛି । ସେଥିରୁ ଦୁଇଟି ଟାଇ ଏବଂ ଦୁଇଟି ବିନା ଫଳାଫଳ ରହିଛି ।
ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି, “ଭାରତର ୨୦୧୯ ଏକଦିବସୀୟ ବିଶ୍ୱକପ ଦଳରେ ତିନି ଜଣ ୱିକେଟ୍ କିପରଙ୍କୁ ଚୟନ କରିବା ବୁଝିବାର ବାହାରେ ଥିଲା । କାରଣ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ଅମ୍ବାତି ରାୟୁଡୁ କିମ୍ବା ଶ୍ରେୟସ୍ ଆୟରଙ୍କୁ ଚୟନ କରାଯାଇ ପାରିଥାନ୍ତା । ୨୦୧୯ ବିଶ୍ୱକପ୍ ର କିଛି ମାସ ପୂର୍ବରୁ ତତ୍କାଳୀନ ଦିନିକିଆ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ରାଇଡୁ ଚତୁର୍ଥ ସ୍ଥାନରେ ଖେଳିବେ । ତେବେ ପରେ ଏମଏସକେ ପ୍ରସାଦଙ୍କ ଚୟନ କମିଟି ରାୟଡୁଙ୍କୁ ଚୟନ କରିନଥିଲା ।
ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଏକ ବାର୍ତ୍ତାଳାପରେ ଶାସ୍ତ୍ରୀ ଖୁଲାସା କରିଛନ୍ତି ଯେ ତିନି ଜଣ ୱିକେଟ୍ କିପରଙ୍କ ବଦଳରେ ରାଇଡୁ କିମ୍ବା ଶ୍ରେୟସ୍ ଆୟରଙ୍କୁ ଚୟନ କରାଯିବା ଉଚିତ୍ ଥିଲା । ଶାସ୍ତ୍ରୀ କହିଛନ୍ତି, ‘ସେହି ଦଳର ଚୟନରେ ମୋର କୌଣସି ହାତ ନଥିଲା । କିନ୍ତୁ, ବିଶ୍ୱକପ ପାଇଁ ତିନି ଜଣ ୱିକେଟ୍ କିପର ଚୟନ କରିବାର ନିଷ୍ପତ୍ତି ମଧ୍ୟ ମୋ ବୁଝିବା ବାହାରେ ଥିଲା । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତିନି ଜଣ ୱିକେଟ୍ କିପର ଯଥା ଏମଏସ ଧୋନି, ଋଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକଙ୍କୁ ଦଳରେ ସାମିଲ କରାଯାଇଥିଲା ।
ପୂର୍ବତନ ମୁଖ୍ୟ କୋଚ୍ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ଦଳର ଚୟନରେ କେବେ ବି ହସ୍ତକ୍ଷେପ କରିନାହାଁନ୍ତି । ସେ କହିଛନ୍ତି, ‘ମୁଁ ଚୟନକର୍ତ୍ତାଙ୍କ କାର୍ଯ୍ୟରେ କେବେବି ହସ୍ତକ୍ଷେପ କରି ନାହିଁ । ଯେତେବେଳେ ମୋତେ କୌଣସି ମତାମତ ପାଇଁ ପଚରା ଯାଉଥିଲା, ସେତେବେଳେ ମୁଁ କେବେଳ ମୋର ମନ କଥା ହିଁ କହିଥିଲି । ୨୦୧୯ ଦିନିକିଆ ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ କରିଛି । କିନ୍ତୁ, ମଞ୍ଚେଷ୍ଟରରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଠାରୁ ହାରିବା ପରେ ବିଶ୍ୱ ଚାମ୍ପିୟନ ହେବାର ଭାରତର ସ୍ୱପ୍ନ ଭାଙ୍ଗି ଯାଇଥିଲା ।