ଏକାଠି ରହିବେ ସୁମିତ-ତପସ୍ୱିନୀ : କୋର୍ଟ
ବ୍ରହ୍ମପୁର : କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନର ତପସ୍ୱିନୀ ଦାଶଙ୍କ ପତ୍ନୀ ମାନ୍ୟତା ଦାବି କରି ସ୍ୱାମୀଙ୍କ ବାସଭବନ ଆଗରେ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ପୂର୍ବରୁ ଉଭୟ ପତି-ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଡିସେମ୍ବର ୯ ତାରିଖରେ ହୋଇଥିବା ଶୁଣାଣୀରେ କୋର୍ଟ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଏକାଠି ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ଆସ୍କାରେ ଏକ ଭଡାଘରେ ଦୁଇ ଜଣ ଏକାଠି ରହିବା ପାଇଁ ନିର୍ଦେଶ ଦିଆଯାଇଛି।
ତପସ୍ୱିନୀ ୧୦ ଦିନ ଧରି ତାଙ୍କ ଡାକ୍ତର ସ୍ୱାମୀ ସୁମିତଙ୍କ ଘର ଆଗରେ ଧାରଣା ଦେବା ସହ ମାର୍ଗଶୀର ମାସ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିଥିଲେ । କୋର୍ଟ ମଧ୍ୟ ଏହି ମାମଲାର ଶୁଣାଣୀ ଚାଲିଥିଲା। କୋର୍ଟ ସେମାନଙ୍କୁ ୭ ଦିନ ଏକାଠି ରହିବା ପାଇଁ ନିର୍ଦେଶ ଦେଇଥଲେ । ମାତ୍ର ହଠାତ୍ ଭଡାଘର ଠିକ୍ ହୋଇ ନପାରିବାରୁ ତାଙ୍କୁ ଆସ୍କା ଚିନିକଳର ଅତିଥି ଭବନରେ ରଖାଯାଇଥିଲା । ଏବେ ଏକ ଭଡା ଘରେ ସେମାନଙ୍କୁ ରଖାଯିବ। ଆସନ୍ତା ମାସ ୧୭ ତାରିଖରେ ରେ ପରବର୍ତ୍ତୀ ଶୁଣାଣୀ ହେବ । ଆସିକା ଥାନା ଅଧିକାରୀ ସୁରକ୍ଷା ଅଧିକାରୀ ପ୍ରତି ସାତ ଦିନରେ କୋର୍ଟଙ୍କୁ ସେମାନଙ୍କ ବିଷୟରେ ରିପୋର୍ଟ ଦେବେ । ଏହି ସମୟରେ ଉଭୟଙ୍କ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ । ସୁମିତଙ୍କ ପରିବାର ଲୋକଙ୍କୁ ୭ ଦିନ ମଧ୍ୟରେ ପକ୍ଷ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆସିକା ପୁଲିସ ଉଭୟ ତପସ୍ୱିନୀ ଓ ସୁମିତଙ୍କ ଚାଲିଚଳନ ଓ ହାବଭାବ ଲକ୍ଷ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିବେ।