ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ପୁଣି ବିଧାନସଭାରେ ସଙ୍କଳ୍ପ
ଭୁବନେଶ୍ବର: ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମଙ୍ଗଳବାର ରାଜ୍ୟ ସରକାର ଗୃହରେ ସଙ୍କଳ୍ପ କରିଛନ୍ତି। ମଙ୍ଗଳବାର ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଥିଲା। ତେବେ ବିରୋଧୀ ସଦସ୍ୟଙ୍କ ହଟଗୋଳ ମଧ୍ୟରେ ଆଗତ ଏହି ସଙ୍କଳ୍ପ ଗୃହର ଅନୁମୋଦନ ଲାଭ କରିଛି। ତେବେ ସଙ୍କଳ୍ପଟି ପାରିତ ହେବା ପରେ ହଟଗୋଳ ଯୋଗୁଁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଆସନ୍ତାକାଲି ସାଢ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଏହି ସଂକଳ୍ପ ପୁଣି ପଠାଯିବ। କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ପୁନର୍ବାର ବିଧାନସଭାରେ ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର।
ଚଳିତ ଶୀତ ଅଧିବେଶନର ଆଜି ଷଷ୍ଠ ଦିବସରେ ବିରୋଧି ଓ ଶାସକଦଳ ସଦସ୍ୟଙ୍କ ଗୃହ ମଧ୍ୟରେ ହଟଗୋଳ ଯୋଗୁଁ ପୂର୍ବାହ୍ନରେ କୌଣସି କାର୍ଯ୍ୟ ହୋଇପାରି ନ ଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରୁଥିବା ବେଳେ ବିଜେଡି ବିଧାୟକମାନେ ମଧ୍ୟ ଗୃହ ମଧ୍ୟକୁ ଆସିଥିଲେ। ବିଜେଡି ବିଧାୟିକା ଲତିକା ପ୍ରଧାନ ଓ ସୁନନ୍ଦା ଦାସ ବିରୋଧୀ ଦଳ ସଦସ୍ୟଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରୁଥିବା ବେଳେ ବିଜେପି ବିଧାୟକମାନେ ଗୃହ ମଧ୍ୟରେ ଘଣ୍ଟ ବାଡେଇବା ସହିତ ଘଣ୍ଟି ବଜାଇଥିଲେ। ମାତ୍ର ୨ମିନିଟ୍ ଏଭଳି ପରିସ୍ଥିତି ଲାଗି ରହିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମମିତା ହତ୍ୟା ଘଟଣାରେ ବିରୋଧୀ ଦଳମାନେ ବିଧାନସଭାକୁ ଏକରକମ ଅଚଳ କରିଦେଇଛନ୍ତି। ଏହି କାରଣରୁ ଗତ ୬ ଦିନ ହେଲା ବିଧାନସଭା ସ୍ବାଭାବିକ ଭାବେ ଚାଲିପାରୁନାହିଁ। ସୋମବାର ସର୍ବଦଳୀୟ ବୈଠକ ପରେ ବି ବିରୋଧୀ ଦଳମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୃହ ମାତ୍ର ୮ ମିନିଟ ଚାଲିପାରିଥିଲା।
ଅପରାହ୍ନ ଅଧିବେଶନରେ ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ଏହାକୁ ଦୃଷ୍ଟିରେ ରଖି ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ଡ. ପାତ୍ର ମଙ୍ଗଳବାର ପୁଣି ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ସର୍ବଦଳୀୟ ବୈଠକକୁ ବିରୋଧୀ ସଦସ୍ୟମାନେ ଯାଇ ନ ଥିଲେ। ସୋମବାର ପରି ମଙ୍ଗଳବାର ମଧ୍ୟ ଏଥିରୁ ସୁଫଳ ମିଳିପାରି ନ ଥିଲା। ଏହାପରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କେନ୍ଦ୍ର ସରକାର ଓଡିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରମାର ମାନ୍ୟତା ଦେବା ପାଇଁ ଏକ ସଙ୍କଳ୍ପ ଆଗତ କରିଥିଲେ। ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଏହା ସପକ୍ଷରେ ମତ ରଖିଥିଲେ। ପରେ ହଟ୍ଟଗୋଳ ମଧ୍ୟରେ ସଙ୍କଳ୍ପଟି ପାରିତ ହୋଇଥିଲା।