ବରଗଡ଼ର ଗୋଟିଏ ପରିବାରରୁ ୨୦ କରୋନା ପଜିଟିଭ୍ ଚିହ୍ନଟ
ବରଗଡ଼ : ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତା ବଢାଇଲାଣି । ଖାସ୍ କରି ଛତିଶଗଡ଼କୁ ଲାଗିଥିବା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ସରକାର ରାଜ୍ୟବ୍ୟାପୀ ସପ୍ତାହନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି । କିନ୍ତୁ ଏତେ କଟକଣା ସତ୍ତ୍ୱେ ବି ସଂକ୍ରମଣ ଥମିବାର ନା ନେଉନି । ଏହାରି ମଧ୍ୟରେ ବରଗଡ଼ ଜିଲ୍ଲାର ଗୋଟିଏ ପରିବାରରୁ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୂଚନା ଯେ, ଛତିଶଗଡ଼ ସୀମାକୁ ଲାଗିଥିବା ଅମ୍ବାଭୋନା ବ୍ଲକ ସାନସରେଇପାଲି ଗାଁର ଗୋଟିଏ ପରିବାରରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜ୍ୱରରେ ପୀଡ଼ିତ ଜଣେ ମହିଳାଙ୍କ କୋଭିଡ୍ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ତାଙ୍କ ପରିବାର ସଦସ୍ୟଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଆଉ ଏବେ ପରିବାରର ସମସ୍ତ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହିଳା ଜଣକ କିଛିଦିନ ହେଲା ଘରୁ ବାହାରିନଥିବା ବେଳେ ତାଙ୍କ ପଜିଟିଭ ଆସିଥିବାରୁ ଗାଁରେ ଭୟ ଖେଳିଯାଇଛି ।