ରାଜସ୍ଥାନ ବିଜେପି ରାଜ୍ୟ କାର୍ଯ୍ୟକରିଣୀକୁ ସମ୍ବୋଧିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ : ୨୦୨୩ରେ କ୍ଷମତାକୁ ଫେରିବ ବିଜେପି
ଜୟପୁର : ରାଜସ୍ଥାନ ବିଜେପି ରାଜ୍ୟ କାର୍ଯ୍ୟକରିଣୀକୁ ସମ୍ବୋଧିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । କଂଗ୍ରେସକୁ ଟାର୍ଗେଟ କରି ବଖାଣିଲେ କେନ୍ଦ୍ରର ଜନ କଲ୍ୟାଣକାରୀ ଯୋଜନା । ସେହିପରି ଆଗାମୀ ୨୦୨୩ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦୁଇ ତୃତୀୟାଂଶ ଗରିଷ୍ଠତାରେ ବିଜୟୀ ହୋଇ କ୍ଷମତାକୁ ଫେରିବ ବିଜେପି ।
ଶାହା କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ସାହ ଦେଖି ପରିବର୍ତ୍ତନର ଆଭାସ ସ୍ପଷ୍ଟ ଅନୁମାନ କରିହେଉଛି । ୨୦୨୩ ବିଧାନସଭା ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ଦୁଇ ତୃତୀୟାଂଶ ଗରିଷ୍ଠତା ହାସଲ କରି ବିଜେପି ରାଜସ୍ଥାନରେ ସରକାର ଗଠନ କରିବ । ବର୍ତ୍ତମାନର ଗେହଲୋଟ ସରକାରକୁ ତେରଚ୍ଛା ବାଣ ମାରି ଶାହ କହିଛନ୍ତି କଂଗ୍ରେସ ସରକାର ରାଜସ୍ଥାନରେ ଗରିବୀ ହଟାଓ ନାରାରେ ନିର୍ବାଚନ ଜିତିଥିବାବେଳେ ଏବେ ଗରିବୀ ପରିବର୍ତ୍ତେ ଗରିବ ହଟାଇବାରେ ଲାଗିଛି । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର କେବଳ ରାଜସ୍ଥାନରେ ୧୧ କୋଟି ଶୌଚାଳୟ ଯୋଗାଇ ସାରିଲେଣି । ସେହପରି ରାଜ୍ୟରେ ୨ କୋଟି ପକ୍କା ଘର ଓ ୧୩ କୋଟି ଗ୍ୟାସ ସିଲିଣ୍ଡର ସଂଯୋଗ ମଧ୍ୟ ଯୋଗାଇ ଦିଆଯାଇଥିବା କହିଛନ୍ତି ଶାହ ।
ପୂର୍ବ ନିର୍ବାଚନ ଗୁଡିକରେ ବିଜେପିର ସଫଳତାକୁ ମନେ ପକାଇ ଶାହ କହିଛନ୍ତି, ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୨୫ ଆସନରେ ବିଜୟୀ ହୋଇ ରାଜ୍ୟରେ କ୍ଲିନସ୍ବିପ କରିଥିଲା । ସେହିପରି ସେହିପରି ୨୦୧୯ରେ ମଧ୍ୟ ୨୩ଟି ଆସନ ଜିତି କ୍ଷମତା ହାତେଇଥିଲା । ବିଜେପିର ବିସ୍ତାରରେ ରାଜସ୍ଥାନ ଏକ ଭୂମିକା ଗ୍ରହଣ କରିସାରିଥିବା କହିଛନ୍ତି ଶାହ । ସେହିପରି ପୂର୍ବ ନିର୍ବାଚନର ସଫଳତାକୁ ପୁଣି ଥରେ ୨୦୨୩ ନିର୍ବାଚନରେ ଦଳ ଦୋହରାଇବ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।