ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କୋଭିଡ ସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି । ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଂ ନିୟମିତ ଚାଲୁ ରହିଛି । ରାଜ୍ୟରେ ଟେଷ୍ଟିଂ ଧାର୍ଯ୍ୟ ଲକ୍ଷ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ ୧.୧% ଥିଲାବେଳେ ରାଜ୍ୟରେ ୦.୪% ରହିଛି । କୋଭିଡ଼ ଟେଷ୍ଟିଂ ଦେଶରେ ପ୍ରତି ଲକ୍ଷରେ ହାରାହାରି ୨୬୮୫ ରହିଥିବା ବେଳେ ଓଡିଶାରେ ୪୫୪୨ ରହିଛି । ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ ୧.୩% ଥିବା ବେଳେ ରାଜ୍ୟରେ ୦.୮% ରହିଛି । ଗତ କାଲି ଓଡିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ ଅଧିକ କେସ ରହିଛି ।
ଟେଷ୍ଟିଂ ଠିକ ଭାବରେ ହେଉନାହିଁ ବୋଲି କେନ୍ଦ୍ର ରାଜ୍ୟକୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛି ଏବଂ ପଦକ୍ଷେପ ନେବାକୁ କୁହାଯାଇଛି । ଓମିକ୍ରନକୁ ନେଇ ଡବ୍ଲୁଏଚଓ କିମ୍ବା ଆନ୍ତର୍ଜାତିକ ସ୍ତରରେ ସେଭଳି କୌଣସି ଫାଟାଲିଟି ହେବାର ସୂଚନା ମିଳିନାହିଁ । ଏବେ ବି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ନୋଟିଫାଏଡ ଦେଶରୁ କିଛି ଲୋକ ଆସିଛନ୍ତି, ସେମାନଙ୍କ ନେଇ ବିଶ୍ଲେଷଣ ଚାଲିଛି । ଯଦି କୌଣସି ଲୋକ ଆସିଛନ୍ତି, ସେମାନେ କୋଭିଡ ଟେଷ୍ଟ କରାଇନେବାକୁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।