ବିଏସଏଫର ୫୭ତମ ରାଇଜିଂ ଡେ’ରେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଜୟପୁର : ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଆଜି ୫୭ତମ ରାଇଜିଂ ଡେ’ । ରାଜସ୍ଥାନର ଜୈସଲମେର ପ୍ରଥମ କରି ପାଳନ ହେଉଛି ବିଏସଏଫର ରାଇଜିଂ ଡେ । ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଯୋଗ ଦେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ‘ସୀମା ସୁରକ୍ଷାରେ ଥିବା ଯବାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉତ୍କୃଷ୍ଠମାନର ଜ୍ଞାନ କୌଶଳର ବନ୍ଦୋବସ୍ତ ପାଇଁ ପ୍ରତିଶୃତିବଦ୍ଧ ଅଛନ୍ତି । ୨୦୧୪ ରୁ ସରକାର ସୀମା ସୁରକ୍ଷା ଉପରେ ଗୁରୁତ୍ବାରୋପ କରୁଛନ୍ତି । ଦେଶର ସୁରକ୍ଷା ପାଇଁ ସେମାନଙ୍କ ବହୁମୂଲ୍ୟ ଜୀବନ ଦେଇଥିବା ଯବାନ ସବୁବେଳେ ମନେ ରହିବେ । ବିଏସଏଫ ଏବଂ ସିଏଏଫ ପୋଲିସର ଶହୀଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।’ ସୂଚନା ଯେ, ଶନିବାର ରାଜସ୍ଥାନର ଜୟସୈଲମର ନିକଟରେ ଆନ୍ତର୍ଜାତୀୟ ସୀମାରେ ଭାରତୀୟ ସୁରକ୍ଷାବଳର ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଶାହ । ଏହାପରେ ସେ ବିଏସଏଫ କ୍ୟାମ୍ପରେ ସୀମା ସୁରକ୍ଷା ବଳର ଅଧିକାରୀଙ୍କ ସହ ରାତ୍ରିଭୋଜନ କରିଥିଲେ । ଭାରତ-ପାକ୍ ଆନ୍ତର୍ଜାତୀୟ ସୀମା ନିକଟରେ ଥିବା ବିଏସଏଫ ଶିବିରକୁ ଏହା କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ପ୍ରଥମ ଗସ୍ତ ।