ଆଜିଠୁ ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଯିବେ ଗୃହମନ୍ତ୍ରୀ, ବିଏସଏଫ କ୍ୟାମ୍ପରେ କାଟିବେ ରାତି
ନୂଆଦିଲ୍ଲୀ : ଆଜିଠୁ ଦୁଇ ଦିନିଆ ରାଜସ୍ଥାନ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ଭାରତ-ପାକ ସୀମାରେ ଥିବା ଏକ ଭାରତୀୟ ପୋଷ୍ଟରେ ବିଏସଏଫ ଅଧିକାରୀ ଓ ଯବାନଙ୍କ ସହ ରାତ୍ରୀଯାପନ କରିବେ ବୋଲି ସୂଚନା ଦେଇଛି ଗୃହ ମନ୍ତ୍ରଣାଳୟ। ସେହିପରି ଶାହ ତାଙ୍କ ଦୁଇ ଦିନିଆ ଜୟପୁର ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜସ୍ଥାନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଏବଂ ସାଂସଦ, ବିଧାୟକ, ଜିଲା ପ୍ରମୁଖ, ପଞ୍ଚାୟତ ସମିତି ସଦସ୍ୟ ଏବଂ ପ୍ରଧାନଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବାନେଇ ମଧ୍ୟ ସୂଚନା ରହିଛି ।
ଶନିବାର ଗୃହମନ୍ତ୍ରୀ ରାଜସ୍ଥାନର ଜୈସଲମେର ପରିଦର୍ଶନ କରିବା ସହ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ ଅଧିକାରୀଙ୍କ ସହ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବେ। ଜୈସଲମେରରେ ପହଞ୍ଚିବା ପରେ ଦେଶର ପଶ୍ଚିମ ସୀମା ସୁରକ୍ଷା ସମୀକ୍ଷା କରିବେ ଏବଂ ବିଏସଏଫ କର୍ମଚାରୀଙ୍କ ସହିତ ରାତ୍ରୀଯାପନ କରିବା ସହ ରାତ୍ରୀକାଳୀନ ସୁରକ୍ଷାର ମଧ୍ୟ ସମୀକ୍ଷା କରିବେ । ପ୍ରଥମ ଥର ଗୃହମନ୍ତ୍ରୀ ଆନ୍ତର୍ଜାତୀୟ ସୀମା ନିକଟରେ ବିଏସଏଫ କ୍ୟାମ୍ପରେ ରାତି କଟାଇବେ। ସେହିପରି ରବିବାର ସକାଳେ ଗୃହମନ୍ତ୍ରୀ ବିଏସଏଫ ରାଇଜିଙ୍ଗ୍ ଡେ ଇଭେଣ୍ଟରେ ଯୋଗଦେବେ ଏବଂ ପରେ ଜୟପୁର ଅଭିମୁଖେ ଯାତ୍ରା କରିବେ ।
ସୂଚନା ଯେ, ଡିସେମ୍ବର ୧, ୧୯୬୫ରେ ପ୍ରତିଷ୍ଠିତ ହୋଇଥିବା ବିଏସଏଫ ପୂର୍ବରୁ ଦିଲ୍ଲୀରେ ଏହାର ରାଇଜିଂ ଡେ ପାଳନ କରୁଥିଲା । ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମା ରକ୍ଷା କାର୍ଯ୍ୟରେ ସମର୍ପିତ ସୀମା ସୁରକ୍ଷା ବଳ, କାଶ୍ମୀର ଉପତ୍ୟକା, ଉତ୍ତର ପୂର୍ବ ଅଞ୍ଚଳର ସୁରକ୍ଷା, ଓଡିଶା ଏବଂ ଛତିଶଗଡ ରାଜ୍ୟରେ ମାଓ-ବିରୋଧୀ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।