କାନପୁର ଟେଷ୍ଟ : ବିଜୟ ଠାରୁ ୯ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ
କାନପୁର : କାନପୁର ଟେଷ୍ଟରେ ଭାରତୀୟ ଦଳ ବିଜୟଠାରୁ ମାତ୍ର ୯ ୱିକେଟ୍ ଦୂରରେ ଅଛି । ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ନିଜର ଆରମ୍ଭ ଖରାପ କରିଥିଲା ସତ, କିନ୍ତୁ ଦିନର ଶେଷ ବହୁତ ଭଲ ଥିଲା । ଏହି ମ୍ୟାଚ ଜିତିବା ପାଇଁ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୨୮୪ ରନ ଟାର୍ଗେଟ ଦେଇଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ନିଜର ଗୋଟିଏ ୱିକେଟ୍ ହରାଇ ୪ ରନ୍ ସ୍କୋର କରିବାରେ ସଫଳ ହୋଇଛି ।
ଟିମ୍ ଇଣ୍ଡିଆ ନିଜର ପ୍ରଥମ ଇନିଂସରେ ୩୪୫ ସ୍କୋର କରିଥିଲା, ଏହାର ଜବାବରେ ନ୍ୟୁଜିଲାଣ୍ଡ କେବଳ ପ୍ରଥମ ଇନିଂସରେ ୨୯୬ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଯାହାଫଳରେ ଟିମ୍ ଇଣ୍ଡିଆ ୪୯ ରନର ଅଗ୍ରଣୀ ହାସଲ କରିଥିଲା, ଏହା ପରେ ଶ୍ରେୟସ୍ ଆୟର ଦ୍ୱିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ରିଦ୍ଧିମାନ ସାହା ମଧ୍ୟ ଭାରତ ପାଇଁ ଅର୍ଦ୍ଧଶତକ ପାରି ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଥିଲେ ।
କାନପୁର ଟେଷ୍ଟର ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ନିଜର ଖେଳ ୧୪/୧ ରୁ ଆରମ୍ଭ କରିଥିଲା । ପ୍ରଥମ ସେଶନରେ ଦଳର ଅଧା ଖେଳାଳି ଆଉଟ ହୋଇ ପାଭିଲିୟନକୁ ଫେରି ଯାଇଥିଲେ । ଅଶ୍ୱିନ୍ (୩୨) ଙ୍କ ସହ ଆୟର୍ (୬୫) ରନ କରି ଦଳକୁ ପ୍ରଥମେ ସଙ୍କଟରୁ ବାହାର କରିଥିଲେ । ଏହା ପରେ ରିଦ୍ଧିମାନ ସାହା (୬୧) ଓ ଅକ୍ଷର ପଟେଲ (୨୮) ଚମତ୍କାର ବ୍ୟାଟିଂ କରି ଦଳକୁ ଏକ ବଡ ଟାର୍ଗେଟ ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ । ଟିମ୍ ଇଣ୍ଡିଆ ୨୩୪ ରନରେ ନିଜର ଦ୍ୱିତୀୟ ଇନିଂସ ସମାପ୍ତିର ଘୋଷଣା କରିଥିଲା ।
ସ୍କୋରକାର୍ଡ଼: ନ୍ୟୁଜିଲାଣ୍ଡ – ୪/୧ ଏବଂ ୨୯୬/୧୦, ଟିମ୍ ଇଣ୍ଡିଆ – ୨୩୪ / ୭d ଏବଂ ୩୪୫/୧୦ ।