ରେଙ୍ଗାଲି ଷ୍ଟେସନରେ ସମ୍ବଲପୁର-ହରିଦ୍ୱାର ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ! ଭ୍ରମ ସୃଷ୍ଟି କଲା ମକଡ୍ରିଲ
ସମ୍ବଲପୁର : ରେଙ୍ଗାଲି ଷ୍ଟେସନରେ ରେଳ ଦୁର୍ଘଟଣା ଭ୍ରମ ସୃଷ୍ଟି କଲା ରେଳ ବିଭାଗର ମକଡ୍ରିଲ। ରେଳ ଦୁର୍ଘଟଣା ସମୟରେ ଆହତ ଯାତ୍ରୀମାନଙ୍କୁ କିପରି ବଞ୍ଚାଯାଇପାରିବ ତାକୁ ନେଇ ରେଳ ବିଭାଗ ପକ୍ଷରୁ ରେଙ୍ଗାଲି ଷ୍ଟେସନ ଠାରେ ଶୁକ୍ରବାର ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ରେଳବାଇ ସହ ଏନଡିଆରଏଫ, ଓଡ୍ରାଫ, ଆରପିଏଫ, ସ୍କାଉଟ ଓ ବିଭିନ୍ନ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇଥିଲେ।
ଶୁକ୍ରବାର ରେଙ୍ଗାଲି ଷ୍ଟେସନରେ ସମ୍ବଲପୁର-ହରିଦ୍ୱାର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ କିଛି ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣା ପଡିଥିଲା। ରେଳବାଇ ପୋଲିସ ସହ ଅନ୍ୟ ସଂସ୍ଥାର କର୍ମଚାରୀ ଉଦ୍ଧାର କରୁଥିବା ଦେଖିବାକୁ ମିଳିଥିଲା। ସତର୍କ ସାଇରନ ମଧ୍ୟ ବାଜୁଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହେଉଛି। ଆହତ ଯାତ୍ରୀଙ୍କୁ ଅସ୍ଥାୟୀ ମେଡିକାଲ କେମ୍ପରେ ଚିକିତ୍ସା କରାଯାଉଛି। ବେକଅପ ପାଇଁ ଆହୁରି ଷ୍ଟାଫଙ୍କୁ ଡକାଯାଉଛି। ଏଭଳି ଦୃଶ୍ୟ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲେ। ଏହା କୌଣସି ସତ ସତିକା ଦୁର୍ଘଟଣା ନଥିଲା ଏହା ଏକ ମୋକ ଡ୍ରିଲ ଥିଲା। ଏଭଳି ମକ ଡ୍ରିଲ କରିବା ଦ୍ୱାରା ବିଭିନ୍ନ ବିଭାଗର କର୍ତ୍ତବ୍ୟ ତଥା କିପରି କୌଣସି ଦୁର୍ଘଟଣା ସମୟରେ ଏକତ୍ରିତ ହୋଇ ଶୀଘ୍ର କାମ କରିବା ସହ ଲୋକଙ୍କ ବହୁମୂଲ୍ୟ ଜୀବନ ବଞ୍ଚା ଯାଇ ପାରିବ ତାହା ଦେଖିବାକୁ ମିଳିଥିଲା। ମକଡ୍ରିଲ ଦ୍ୱାରା ସାଧାରଣ ଲୋକ ମଧ୍ୟ ଅନେକ କିଛି ଶିକ୍ଷା ଲାଭ କରନ୍ତି ବୋଲି ସମ୍ବଲପୁର ଡିଆରଏମ, ପ୍ରଦୀପ କୁମାର କହିଛନ୍ତି। ଏଭଳି କରିବା ଦ୍ୱାରା ରେଳ ବିଭାଗର ଯଦି କୌଣସି ଠାରେ ଭୁଲ ରହୁଛି ତାକୁ ମଧ୍ୟ ଆଗକୁ ସୁଧୁରାଯାଇପାରିବ ବୋଲି ପ୍ରଦୀପ କୁମାର କହିଛନ୍ତି। ତେବେ ସମସ୍ତେ ମିଳିମିଶି କାମ କଲେ ତାହା ଯେତେ କଠିନ କାର୍ଯ୍ୟ ହୋଇଥିଲେ ମଧ୍ୟ ସହଜ ହୋଇଯାଏ। ଏହି ବାର୍ତ୍ତା ଦେଇଥିଲା ରେଳ ବିଭାଗର ମକ ଡ୍ରିଲ।