ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ
ନୂଆଦିଲ୍ଲୀ: ବିଗିଡିଲା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା । ଶୁକ୍ରବାର ତାଙ୍କୁ ତୁରନ୍ତ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କୁ ଜ୍ବର ହେବା ସହ ମୁଣ୍ଡ ବୁଲାଇବା ଯୋଗୁୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ବ୍ଲଡ ଚେକଅପ କରାଯିବା ସହ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗମ୍ଭୀର ନ ଥିବା ଜଣାପଡିଛି ।
ସୂଚନା ଯେ, ଗତ ୩ ଦିନ ହେଲା ଲାଲୁ ବିହାରରେ ଥିଲେ । ସିବିଆଇ କୋର୍ଟରେ ହାଜର ହେବା ପରେ ଆରଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଜିପ୍ ଚଲାଉଥିବାର ଭିଡିଓ ଖୁବ ଭାଇରାଲ୍ ହୋଇଥିଲା। ଗତ ବିହାର ଯାତ୍ରା ସମୟରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା ।ହଠାତ ବିହାର ଯାତ୍ରା ରଦ୍ଦ କରିବା ସହ ଦୀପାବଳି ପୂର୍ବରୁ ତାଙ୍କୁ ଦିଲ୍ଲୀ ଫେରିବାକୁ ପଡ଼ିଥିଲା। ଦିଲ୍ଲୀରେ ରହି ମଧ୍ୟ ସେ ଉପନିର୍ବାଚନ ପ୍ରଚାର କରିଥିଲେ। ଏହି ସମୟରେ ରାଜ୍ୟର ଅନେକ ନେତାଙ୍କୁ ସାକ୍ଷାତ କରିଥିଲେ। ସେଥିପାଇଁ ସେ ପୁଣି ଥରେ ଅସୁସ୍ଥ ହୋଇଥିବା କୁହାଯାଉଥିଲା । ଅନେକ ବର୍ଷ ହେଲା ଲାଲୁ ଅସୁସ୍ଥ ଅଛନ୍ତି। ସେଥିପାଇଁ ଜେଲ୍ରେ ଥିବା ବେଳେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ରିମ୍ସରେ ମଧ୍ୟ ତାଙ୍କର ଚିକିତ୍ସା ଚାଲିଥିଲା। ଦିଲ୍ଲୀରେ ସେ ନିଜ ଝିଅ ମୀସାଙ୍କ ଘରେ ରହୁଥିଲେ। ସେଠାରେ ରହି ସେ ଲଗାତାର ହସ୍ପିଟାଲ ଯାଇ ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରୁଥିଲେ ।