ଘରେ ପୁରାଇଲେନି ଶାଶୁଘର ଲୋକେ : ବାରଣ୍ଡାରେ ମାଣ ବସାଇଲେ ନବ ବିବାହିତା
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ୱିତୀୟ ଲେନ୍ ର ତପସ୍ୱିନୀ ଦାଶ ନାମ୍ନୀ ଜଣେ ନବ ବିବାହିତା ମହିଳା ସ୍ୱାମୀଙ୍କ ଘର ବାରଣ୍ଡାରେ ବସି ମାର୍ଗଶିର ମାସ ପ୍ରଥମ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିଛନ୍ତି । ସେ ଝୋଟି, ଚିତା ପକାଇବା ସହ ମାଣ ବସାଇ ଫଳ ଓ ପିଠା ପୂଜା କରିଛନ୍ତି । ମହାଲକ୍ଷ୍ମୀଙ୍କୁ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରିଛନ୍ତି । ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେ ୪ ଦିନ ହେଲା ଧାରଣାରେ ବସି ରହିଛନ୍ତି ।
ଅନ୍ୟପକ୍ଷରେ ସ୍ୱାମୀ ଓ ଶାଶୁଘର ଲୋକେ ମଧ୍ୟ ତାଙ୍କୁ ଯୌତୁକ ନିର୍ଯାତନା ଦେଇଥିବା ନେଇ ନବ ବିବାହିତା ତପସ୍ୱିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏହି ମାମଲା ଏବେ ଫ୍ୟାମିଲି କୋର୍ଟରେ ପହଂଚିଛି । ଏଣୁ କୋର୍ଟଙ୍କ ରାୟ ନଆସିବା ଯାଏଁ ତାଙ୍କୁ ଘରେ ପୁରାଇବା ସମ୍ଭବପର ନୁହେଁ ବୋଲି ତପସ୍ୱିନୀଙ୍କ ସ୍ୱାମୀ ଡାକ୍ତର ସୁମିତ ସାହୁ ଏବଂ ଶ୍ୱଶୁର ପ୍ରମୋଦ ସାହୁ କହିଛନ୍ତି । ଏପରି ସ୍ଥିତିରେ କୋର୍ଟଙ୍କ ରାୟ ନଆସିବା ଯାଏଁ ପୋଲିସ ଏଥିରେ କୌଣସି ପ୍ରକାରେ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ବ୍ରହ୍ମପୁର ଏସପି ପୀନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ମହିଳାଙ୍କ ସୁରକ୍ଷା ଧାରଣା ସ୍ଥଳରେ ବୈଦ୍ୟନାଥପୁର ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଛି ।