ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୮/୪
କାନପୁର : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କାନପୁର୍ରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଶୁଭମାନ ଗିଲ, ଶ୍ରେୟସ୍ ଆୟର ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମରୁ କିଛିଟା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଶେଷରେ ଶ୍ରେୟସ ଆୟର ଏବଂ ଜାଡେଜାଙ୍କ ଅପରାଜିତ ଅର୍ଦ୍ଧଶତକ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛି । ଆଲୋକ ସମସ୍ୟା ଯୋଗୁଁ ପ୍ରଥମ ଦିନ ୮୪ ଓଭର ହିଁ ଖେଳ ହୋଇଛି ।
ଟିମ ଇଣ୍ଡିଆ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ବାଲ ନିରାଶ କରିଛନ୍ତି । ସେ ମାତ୍ର ୧୩ ରନ କରି ଆଉଟ ହୋଇଛନ୍ତି । ଅନ୍ୟତମ ଓପନର ଶୁଭମାନ ଗିଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ୯୩ ବଲରୁ ୫ ଚୌକା ଏବଂ ଗୋଟିଏ ଛକା ବଳରେ ୫୨ ରନକରି ଆଉଟ ହୋଇଛନ୍ତି । ଚେତେଶ୍ବର ପୁଜାରା ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିନପାରି ୨୬ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ୩୫ରନ କରି ସେଟ୍ ହୋଇଥିଲେ ସୁଦ୍ଧା ବଡ ସ୍କୋର କରିପାରିନାହାନ୍ତି । ଶ୍ରେୟସ୍ ଆୟର ୧୩୬ ବଲ ଖେଳି ୭ ଚୌକା ଏବଂ ୨ଟି ଛକା ସହାୟତାରେ ୭୫ ରନ କରି ଅପରାଜିତ ଥିବା ବେଳେ ଅଲରାଉଣ୍ଡର ତଥା ଭେଟେରାନ୍ ରବିନ୍ଦ୍ର ଜାଡେଜା ଚମତ୍କାର ଇନିଂସ ଖେଳି ୧୦୦ ବଲରୁ ୬ଚୌକା ସହାୟତାରେ ୫୦ ରନକରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜିମିସନ୍ ଏକମାତ୍ର ସଫଳ ବୋଲର ଭାବେ ୧୫.୨ ଓଭର ବୋଲିଂକରି ୪୭ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ, ଟିମ୍ ସାଉଦି ୧୬.୪ ଓଭର ବୋଲିଂ କରି ୪୩ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି । ସେହିଭଳି ଏଜାଜ ପଟେଲ ୨୧ ଓଭର ବୋଲିଂ କରି ୭୮ ରନ ଦେଇଥିବା ବେଳେ ଓ୍ବିଲିୟମ ସମରବିଲେ ୨୪ ଓଭରରେ ୬୦ ରନ ଏବଂ ରଚିନ୍ ରବିନ୍ଦ୍ର ୭ ଓଭରରେ ୨୮ରନ ଦେଇଛନ୍ତି ।