ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ : ବିଏସଏଫ କ୍ଷମତା ବୃଦ୍ଧି ଓ ତ୍ରିପୁରା ହିଂସା ନେଇ ଆଲୋଚନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସିସୁପ୍ରିମୋ ମମତା ବାନାର୍ଜୀ । ଆଜି ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଦାବି ସମ୍ପର୍କରେ ମମତା ମୋଦିଙ୍କୁ ଜଣାଇଥିବା ସୂଚନା ରହିଛି । ଏହି ଦାବିଗୁଡିକ ମଧ୍ୟରେ ପଶ୍ଚିମବଙ୍ଗରେ ସୀମା ସୁରକ୍ଷା ବଳର କ୍ଷମତା ହ୍ରାସ କରିବା ପାଇଁ ମମତା ପ୍ରାଥମିକ ଦାବି କରିଥିବା ଗଣମାଧ୍ୟମରୁ ସୂଚନା ମିଳିଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟ ଅତୀତରେ ପଶ୍ଚିମବଙ୍ଗ ସମେତ ଅନ୍ୟ କିଛି ସୀମାନ୍ତ ରାଜ୍ୟଗୁଡିକରେ ସୀମା ସୁରକ୍ଷା ବଳର କ୍ଷମତାକୁ 50 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯାହାକୁ ନେଇ ପଶ୍ଚିମବଙ୍ଗର ମମତା ସରକାର ଓ ପଞ୍ଜାବ ସରକାର ମଧ୍ୟ ଆପତ୍ତି ଉଠାଇବା ସହ ତାହା ପ୍ରତ୍ୟାହାର କରିବାକୁ ଦାବି କରିଆସିଛନ୍ତି । ଆଇନ-ଶୃଙ୍ଖଳା ଏକ ରାଜ୍ୟ ଅଧିନ ବିଷୟ ବୋଲି ଦର୍ଶାଇ କେନ୍ଦ୍ରର ଏପରି ଅର୍ଦ୍ଧ୍ବ ସାମରିକ ବଳର କ୍ଷମତା ବୃଦ୍ଧି ଅଯୌକ୍ତିକ ନିଷ୍ପତ୍ତି ବୋଲି କହି ବିରୋଧ କରିଥିଲେ ମମତା ।
ସେହିପରି ଆଲୋଚନାର ଅନ୍ୟତମ ବିନ୍ଦୁ ଭାବେ ମମତା ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ଗ୍ଲୋବାଲ ବିଜନେସ୍ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି । ସେହିପରି ପଶ୍ଚିମବଙ୍ଗର ପଡୋଶୀ ତ୍ରିପୁରାରେ ଦେଖାଯାଇଥିବା ହିଂସା ଓ ଏହାର ପଶ୍ଚିମବଙ୍ଗ ଉପରେ ପ୍ରଭାବ ସମ୍ପର୍କରେ ମଧ୍ୟ ମମତା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ମମତା ଚଳିତମାସ ୩୦ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବା ସହ ଡିସେମ୍ବର ପହିଲାରେ ମୁମ୍ବାଇ ଗସ୍ତ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଥିବା ଟିଏମସି ପକ୍ଷରୁ କୁହାଯାଇଛି ।