ବେନିୟମ ୟୁଜର୍ସ ଫି’ ଆଦାୟ କରୁଥିବା ସଂସ୍ଥାକୁ ଜବାବ ତଲବ କଲା ବିଏମସି
ଭୁବନେଶ୍ୱର : ବେନିୟମ ୟୁଜର୍ସ ଫି’ ଆଦାୟ କରୁଥିବା ସଂସ୍ଥାକୁ ଜବାବ ତଲବ କଲା ବିଏମସି । ୩ ଦିନ ମଧ୍ୟରେ ଉତ୍ତର ନ ଦେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁସାରେ ସେବା ପାଉଥିବା ଲୋକଙ୍କଠାରୁ ସ୍ଥାନୀୟ ପ୍ରଶାସନ କର ଆଦାୟ କରୁଛି । ବ୍ୟବସାୟୀକ ପ୍ରତିଷ୍ଠାନ ଓ ସହରବାସୀଙ୍କଠାରୁ ଭିନ୍ନ ପରିମାଣର ସେବା କର ବା ୟୁଜର୍ସ ଫି ନିଆଯାଉଛି । ହେଲେ ଏହି ଫି ନାଁରେ କିଛି ଘରୋଇ ସଂସ୍ଥା ଲୋକଙ୍କଠାରୁ ଶୋଷଣ କରୁଛନ୍ତି । ଏନେଇ ଅଭିଯୋଗ ହେବା ପରେ ବିଏମସି ଚେଇଁ ଉଠିଛି । ଉକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ସିଧାସଳଖ ବିଏମସିକୁ ୟୁଜର୍ସ ଫି’ ଦେବାକୁ କହିଛି ।
ଭୁବନେଶ୍ବରରେ କିଛି ଘରୋଇ ସଂସ୍ଥାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆସିଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୧୮ର ଅଧ୍ୟାୟ ୧୩ ମୁତାବକ ବର୍ଜ୍ୟ ଉତ୍ପନକାରୀଙ୍କୁ ସେବା ଯୋଗାଇବା ବାବଦରେ ୟୁଜର୍ସ ଫି ଆଦାୟ କରାଯାଏ । ୨୦୧୯ ଅକ୍ଟୋବର ୧୮ ତାରିଖରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସେବା ଯୋଗାଇବା ହେତୁ ବିଏମସି ୟୁଜର୍ସ ଫି’ ପାଇଁ ବିଜ୍ଞପ୍ତି ଜାରି କରିଥିଲା । ହେଲେ ଏହାର ଫାଇଦା ନେଇ ପରିମଳ ସେବା ଯୋଗାଉଥିବା କିଛି ସଂସ୍ଥାର କର୍ମଚାରୀ ବେଆଇନ ଭାବେ ବିଏମସି ଅଗୋଚରରେ ୟୁଜର୍ସ ଫି’ ଆଦାୟ କରୁଛନ୍ତି । ଏହି ଅଭିଯୋଗ ଆଧାରରେ ବିଏମସି ପକ୍ଷରୁ ୩ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ତେବେ ବଡ କଥା ହେଉଛି ଦୀର୍ଘଦିନ ଧରି କୁଢ଼କୁଢ଼ ଅଳିଆ ଆବର୍ଜନ ପଡ଼ି ରହିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏଥିରେ ସହରବାସୀ, ଭୋଜନାଳୟ, ଅଣଆବାସିକ ଶିକ୍ଷାନୁଷ୍ଠାନ, ଆବାସିକ ବିଦ୍ୟାଳୟ, ଜଳଖିଆ ଦୋକାନ, ସ୍ବାସ୍ଥ୍ୟସେବା ଅନୁଷ୍ଠାନ, ଶୋ ରୁମ୍, ସିନେମା ହଲ୍, ଗ୍ୟାରେଜ, ବିବାହ ମଣ୍ଡପ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଥିବା ବେଳେ ବିଏମସି ସେବା କର ଆଦାୟ କରୁଛି । କୋଭିଡ ମହାମାରୀ କାଳରେ ଲୋକଙ୍କ ରୋଜଗାର ହ୍ରାସ ପାଇଛି । ଏଭଳି ସ୍ଥଳରେ ୟୁଜର୍ସ ଫି’ ନାମରେ ଲୋକଙ୍କୁ ଲୁଟ୍ କରାଯିବାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।