ଆଉ କିଛି ଘଣ୍ଟାର ଅପେକ୍ଷା, କମ୍ପିବ କଳିଙ୍ଗ : ଜୁନିଅର ହକି ବିଶ୍ୱକପରେ ଫ୍ରାନ୍ସ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ ଭାରତ
ଭୁବନେଶ୍ୱର : ଆଜି ଠୁ ଆରମ୍ଭ ହେବାକୁ ଯାଉଛି ହକିର ମହାକୁମ୍ଭ । ଆଉ କିଛି ଘଣ୍ଟାର ଅପେକ୍ଷା ପରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଜୁନିଅର ହକି ବିଶ୍ୱକପ । ଏହି ପ୍ରତିଯୋଗିତାରେ ୧୬ଟି ଦେଶ ଭାଗ ନେଇଛନ୍ତି । ପ୍ରଥମ ଦିନରେ ଡିଫେଣ୍ଡିଂ ଚମ୍ପିଆନ ଭାରତ, ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ । ଗ୍ରୁପ ବି’ର ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଖେଳାଯିବା ନେଇ ସୂଚୀ ରହିଛି ।
ଭାରତୀୟ ଟିମରେ ଓଡିଶାରୁ ସ୍ଥାନ ପାଇଛନ୍ତି ୩ ଓଡ଼ିଆ ଖେଳାଳି । ଓଡ଼ିଆ ଖେଳାଳି ସହ ଭାରତୀୟ ଖେଳାଳିଙ୍କୁ ସମ୍ବୋଧନ ସହ ଉତ୍ସାହିତ କରିଛନ୍ତି ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ ଦିଲୀପ ତିର୍କୀ । ସମସ୍ତ ଟିମ ଏବେ ଓଡ଼ିଶାରେ ପହଞ୍ଚି ସାରିଛନ୍ତି । ଅଭ୍ୟାସ ମ୍ୟାଚ୍ ଖେଳି ପ୍ରସ୍ତୁତି ଶେଷ କରିସାରିଛନ୍ତି । ଓଡ଼ିଆ ଖେଳାଳି ମାନେ ଭଲ ପ୍ରଦର୍ଶନ କରିବାନେଇ ସମସ୍ତେ ଆଶାବାଦୀ ରହିଛନ୍ତି । ହୋମ୍ ଗ୍ରାଉଣ୍ଡରେ ମ୍ୟାଚ୍ ଥିବାରୁ ଏହା ଭାରତୀୟ ଟିମ ପାଇଁ ବଡ଼ ସୁବର୍ଣ୍ଣ ସୁଯୋଗ ହେବ । ଦର୍ଶକଙ୍କ ପ୍ରବେଶକୁ ନେଇ ଦିଲୀପ କହିଛନ୍ତି କୋଭିଡ ପାଇଁ ସରକାର ଏପରି କଟକଣା କରିଛନ୍ତି । ସରକାରଙ୍କ ଗାଇଡ଼ ଲାଇନକୁ ସମସ୍ତେ ମାନିବା ସହ ଅନଲାଇନ ମାଧମରେ ଦର୍ଶକ ଘରେ ରହି ହକିର ମଜା ନେଇ ପାରିବେ ।
“ପ୍ରଥମ ମ୍ୟାଚ୍ ସବୁବେଳେ ଆହ୍ବାନପୂର୍ଣ୍ଣ ଥାଏ, ଯେତେବେଳେ ପ୍ରତିପକ୍ଷ ଟିମର ଶକ୍ତି ଆକଳନ କରିବା ସହଜ ନଥାଏ । ସେଥିପାଇଁ ଉଭୟ ଓ ଫ୍ରାନ୍ସ ଓ ଭାରତୀୟ ଟିମ ବରାବର ସ୍ଥିତିରେ ରହିଛନ୍ତି । ମାତ୍ର ପ୍ରଥମ ମ୍ୟାଚ୍ ଅତି ଉତ୍ସାହକର ହୋଇଥାଏ ।ନେଦରଲାଣ୍ଡ୍ସ, ଜର୍ମାନୀ ଓ ୟୁଏସଏ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ପ୍ରସ୍ତୁତି ଦୃଷ୍ଟିରୁ ଫାଇଦାମାନ ସାବ୍ୟସ୍ତ ହୋଇଛି ।” ଗଣମାଧ୍ୟମକୁ ଏହା କହିଛନ୍ତି ଭାରତୀୟ ହକି ଟିମର ମୁଖ୍ୟ କୋଚ୍ ଗ୍ରାହମ ରେଡ୍ । ଟିମ ଇଣ୍ଡିଆ ମିଡଫିଲ୍ଡର ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଟିମର ଐତିହାସିକ ବ୍ରୋଞ୍ଜ ବିଜୟ ପ୍ରଦର୍ଶନର ଅଂଶ ରହିଥିଲେ ବିବେକ । “ଟୁର୍ଣ୍ଣାମେଣ୍ଟର ଭଲ ଫଳାଫଳ ପାଇଁ ସଂପୂର୍ଣ୍ଣ ପ୍ରୟାସ କରିବୁ । ବଡ ମ୍ୟାଚ୍ରେ ଖେଳିବାର ଅଭିଜ୍ଞତାକୁ ଏହି ଟୁର୍ନାମେଣ୍ଟରେ ଉପଯୋଗ କରିବା ଲକ୍ଷ୍ୟ ରହିବ,” କହିଛନ୍ତି କ୍ୟାପେଟନ ବିବେକ ପ୍ରସାଦ । ଅନ୍ୟପଟେ ଫ୍ରାନ୍ସ କୋଚ୍ ଓ କ୍ୟାପଟେନ ମଧ୍ୟ ଟିମ ଭଲ ପ୍ରସ୍ତୁତି କରିଛି ଓ ପ୍ରଭାବୀ ପ୍ରଦର୍ଶନ ନେଇ ଆଶାବାଦୀ ଥିବା କହିଛନ୍ତି ।