ନ୍ୟୁଜିଲାଣ୍ଡକୁ କ୍ଲିନ ସୁଇପ କରି ଶୃଙ୍ଖଳା ଜିତିଲା ଭାରତ
କୋଲକାତା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଶେଷ ମ୍ୟାଚ୍ ଖେଳାଯାଇଛି। କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ଦମ୍ଦାର ପ୍ରଦର୍ଶନ କରିଛି। ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲାରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଉନ୍ନତ ପ୍ରଦର୍ଶନ କରିଛି। ଫଳରେ ଟିମ୍ ଇଣ୍ଡିଆ ଅତିଥି ଦଳକୁ ୭୩ ରନ୍ରେ ପରାସ୍ତ କରିଛି। ଏଥି ସହିତ ଭାରତ ୩-୦ରେ ଶୃଙ୍ଖଳା ବିଜୟ ହାସଲ କରିଛି। ନିୟମିତ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଏହା ପ୍ରଥମ ସିରିଜ୍ ବିଜୟ। କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ମଧ୍ୟ ଏହା ଏକ ଭଲ ଆରମ୍ଭ। କୋଲକାତାର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ଅକ୍ଷର ପଟେଲ୍ ଏବଂ ହର୍ଷଲ ପଟେଲଙ୍କ ବୋଲିଂର ମୁକାବିଲା କରିନପାରି ୧୭.୨ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଛି। ମାର୍ଟିନ୍ ଗୁପଟିଲ୍(୫୧)ଙ୍କ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଦଳକୁ ନିରାଶ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୪ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୬ ରନ କରିଥିବା ବେଳେ ଇଶାନ କିଶନ ୨୯ ରନ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୩ଟି ଏବଂ ହର୍ଷଲ ପଟେଲ୍ ୨ଟି ଓ୍ଵିକେଟ୍ ନେଇ ମ୍ୟାଚ୍ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।
କୋଲାକାତାର ଐତିହାସିକ ଇଡେନ ଗାର୍ଡେନରେ ରୋହିତ ଟସ୍ ଜିତି ଥିଲେ। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ସେ ବ୍ୟାଟିଂ କରିବେ ବୋଲି କହିଥିଲେ। ଇନଫର୍ମ କେଏଲ ରାହୁଲ ବିଶ୍ରାମ ନେଇଥିବାରୁ ରୋହିତଙ୍କ ସହ ଈଶାନ କିଶନ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓଭର୍ରୁ ହିଁ ରୋହିତ ହାତ ଖୋଲା ଶଟ୍ ଖେଳିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କୁ ଲଗାତର ୨ଟି ଚୌକା ମାରି ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ଈଶାନ କିଶନ ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୬ ଓଭର୍ରେ ଦଳ ପାଇଁ ୬୯ ରନ୍ ଆଦାୟ କରିଥିଲେ। ତେବେ ୭ମ ଓଭର୍ ବୋଲିଂ କରିବାକୁ ଆସିଥିବା କାମ ଚଳା ଅଧିନାୟକ ମିଚେଲ ସାଣ୍ଟନର ପ୍ରଥମେ ୨୯ ରନ୍ କରିଥିବା ଇଶାନ କିଶନଙ୍କୁ ଆଉଟ କରିଥିଲେ। ତା’ ପରେ ସେହି ଓଭର୍ର ଶେଷ ବଲ୍ରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଆଉଟ କରି ଭାରତକୁ ଡବଲ ଝଟକା ଦେଇଥିଲେ। ଏହାପରେ ଋଷଭ ପନ୍ତ ମଧ୍ୟ ମାତ୍ର ୪ ରନ୍ କରି ସାଣ୍ଟରନଙ୍କ ତୃତୀୟ ଶିକାର ବନିଥିଲେ। ଗୋଟିଏ ପଟେ ୱିକେଟ ଖସୁଥିଲେ ମଧ୍ୟ ରୋହିତ ଅନ୍ୟପଟେ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଅର୍ଦ୍ଧଶତକ ପରେ ସେ ବଡ଼ ଶଟ୍ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ଈଶ ଶୋଢ଼ି ଏହା କରିବାକୁ ଦେଇଥିଲେ। ଆଉଟ ହେବା ପୂର୍ବରୁ ରୋହିତ ୩୧ ବଲ୍ରେ ୫୬ ରନ୍ର ଇନିଂସ୍ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ଓ ୩ଟି ଛକା ମାରିଛନ୍ତି। ରୋହିତ ପ୍ୟାଭିଲିୟନ ଫେରିବା ପରେ ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ ପାଇଁ ଦ୍ରୁତ ୩୬ ରନ୍ ଯୋଡ଼ିଥିଲେ। ଭେଙ୍କଟେଶ ଆୟର ଭଲ ଲୟର ଥିବା ଭଳି ଲାଗୁଥିଲା। କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ୨୦ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ୨୫ ରନ୍ କରି ଶ୍ରେୟସ ଆୟର ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ତେବେ ଶେଷ ଭାଗରେ ହର୍ଷଲ ପଟେଲ ୧୮ ଓ ଦୀପକ ଚହର ୮ ବଲରେ ଅପରାଜିତ ୨୧ ରନ୍ କରିବାରୁ ଭାରତ ୧୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା।
୧୮୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଦୟନୀୟ ଥିଲା। ଦଳୀୟ ସ୍କୋର ୨୧ ରନରେ ଡାର୍ଲି ମିଚେଲ୍(୫)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ବିଶେଷ କରି ଅକ୍ଷର ପଟେଲ୍ଙ୍କ ବୋଲିଂର ମୁକାବିଲା କରିନପାରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାର୍କ ଚମ୍ପନ(୦) ଓ ଗ୍ଲେନ ଫିଲିପ୍ସ(୦) ଖାତା ଖୋଲିପାରିନଥିଲେ। ଉଭୟଙ୍କୁ ଅକ୍ଷର ପାଭିଲିୟନର ରାସ୍ତା ଦେଖାଇଥିଲେ। ମାର୍ଟିନ ଗୁପଟିଲ୍ ଗୋଟିଏ ପଟେ ଛିଡା ହୋଇଥିବା ବେଳେ କିଓ୍ଵି ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ମଧ୍ୟ କ୍ରମରେ ଟିମ୍ ସେଇଫର୍ଟ(୧୭) କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେମ୍ସ ନିଶାନ ୩, ମିଚେଲ୍ ସାଣ୍ଟନର ୨, ଆଡମ ମିଲନେ ୨, ଇଶ ସୋଢି ୯ ରନ କରିଥିଲେ। ମାର୍ଟିନ ଗୁପଟିଲ୍ ଏକା ସଂଘର୍ଷ କରି ୩୬ ବଲ୍ରୁ ୪ ଚୌକା ଓ ୪ ଛକା ସହ ୫୧ ରନ କରି ଆଉଟ୍ ହୋଇଥିଲେ। ଲୋକି ଫର୍ଗ୍ୟୁସନ ୧୪ ରନ କରିଥିଲେ। ଶେଷରେ ନ୍ୟୁଜିଲାଣ୍ଡ ୧୭.୨ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଥିଲା। ଭାରତ ମ୍ୟାଚ୍କୁ ୭୩ ରନରେ ଜିତିବା ସହ ସିରିଜ୍ ୩-୦ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୯ ରନ ଦେଇ ୩ଟି ସଫଳତା ପାଇଛନ୍ତି। ହର୍ଷଲ ପଟେଲ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଭେଙ୍କଟେଶ ଆୟର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।