ବଢିଛି ପିଲାଙ୍କ ସ୍ମାର୍ଟ ଫୋନ ୟୁଜ୍, ଅପବ୍ୟବହାର ପ୍ରତି ସାବଧାନ କଲେ ଏକ୍ସପର୍ଟ

ଭୁବନେଶ୍ୱର : ମହାମାରୀ କରୋନା ଓଡ଼ିଶାର ସ୍କୁଲ ଶିକ୍ଷା ଉପରେ କିପରି ଭାବରେ ପ୍ରଭାବ ପକାଇଛି, ତାହା ଏକ ସର୍ଭେରୁ ଜଣାପଡିଛି । ଏନେଇ ବାର୍ଷିକ ରିପୋର୍ଟ ଦେଇଛି ‘‘ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ’’ । ରାଜ୍ୟରେ କରୋନା ମହାମାରୀ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବା ସମୟରେ ପାଠପଢ଼ାର ବିକଳ୍ପ ଚିନ୍ତା କରାଯାଇଥିଲା। ଫଳସ୍ବରୁପ ଅନଲାଇନ ମାଧ୍ୟମରେ ପାଠ ପଢ଼ାଯାଇଥିଲା । ଏହାରି ଭିତରେ ସ୍ମାର୍ଟ ଫୋନର ବ୍ୟବହାର ମଧ୍ୟ ବଢିଛି । ୨୦୧୮ ମସିହାରେ ସ୍ମାର୍ଟ ଫୋନର ବ୍ୟବହାର ୨୬% ରହିଥିବା ବେଳେ ୨୦୨୦ ମସିହାରେ ଏହା ବଢି ୫୦% ରେ ପହଞ୍ଚିଥିଲା। କିନ୍ତୁ, କରୋନା ସମୟରେ ଏହା ବର୍ତ୍ତମାନ ୬୫%ରେ ପହଞ୍ଚିଛି । ସରକାରୀ ସ୍କୁଲରେ ୨୦୧୧ ମସିହାରେ ୬୪% ରହିଥିବା ବେଳେ ଘରୋଇ ସ୍କୁଲରେ ୭୯% ଏବଂ ସେମି ସରକାରୀ ସ୍କୁଲରେ ୬୪ ବଢିଛି ।
ସେହିପରି ନୂଆ ମୋବାଇଲ ଫୋନ ପାଇଁ ମଧ୍ୟ ଅନେକ ଅଭିଭାବକ ଆଗକୁ ଆସିଥିଲେ। ୧ମରୁ ୨ୟ ଶ୍ରେଣୀ ପାଇଁ ୨୦% ଅଭିଭାବକ ପିଲାଙ୍କ ପାଇଁ ମୋବାଇଲ କିଣିଥିଲେ । ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୨୫% ଅଭିଭାବକ ନୂଆ ମୋବାଇଲ ଫୋନ କିଣିଥିଲେ। ସେହିପରି, ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୩୦% ଏବଂ ୯ମ ଶ୍ରେଣୀରୁ ଉର୍ଦ୍ଧ୍ବ ଶ୍ରେଣୀ ପାଇଁ ୩୬% ନୂଆ ମୋବାଇଲ ଫୋନ କିଣିଛନ୍ତି। ଘରେ ରହି ବହି ମାଧ୍ୟମରେ ରାଜ୍ୟରେ ପଢୁଛନ୍ତି ୬୮% ପିଲା । ଟିଭି ଓ ଅନନ୍ୟ ମାଧ୍ୟମରେ ପଢୁଛନ୍ତି ୧୯% ଓ ଅନଲାଇନରେ କ୍ଳାସ କରୁଛନ୍ତି ମାତ୍ର ୩୧%।
ସାରା ଭାରତରେ କରୋନା ସମୟରେ ସ୍ମାର୍ଟ ଫୋନର ବ୍ୟବହାର ବଢିଛି । କିଛି ହାତଗଣତି ରାଜ୍ୟକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ସ୍ମାର୍ଟ ଫୋନର ବ୍ୟବହାର ବଢିଛି । କିନ୍ତୁ, ଅନ୍ୟପଟେ ମୋବାଇଲ ବ୍ୟବହାରରେ ବୃଦ୍ଧି ହେବା ନେଇ ଶିଶୁ କମିଶନ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, ‘‘କରୋନା ସମୟରେ ଅଧିକ ଶିଶୁ ମୋବାଇଲ ବ୍ୟବହାର କରିଛନ୍ତି । ପ୍ରଥମ ଦିଗ ହେଲା ପାଠ ପଢା ଓ ଦ୍ୱିତୀୟ ଦିଗ ଅପବ୍ୟବହାର କରିବା । ଅନେକେ ଅନଲାଇନରେ ବିଭିନ୍ନ ଧରଣର ଲୋକଙ୍କ ସଂସ୍ପର୍ଶରେ ଆସିଲେ। ତେଣୁ, ଅନେକ ମାତ୍ରାରେ କ୍ରାଇମ ହେବାର ସମ୍ଭାବନା ରହୁଛି । ଏହାକୁ ନେଇ ଶିକ୍ଷକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସଚେତନ କରିବାକୁ ପଡିବ।’’ ଅତ୍ୟଧିକ ବ୍ୟବହାର ଫଳରେ କୁପରିଣାମରୁ ବଞ୍ଚିବାକୁ ଏକ ଆପ୍ସର ଡେଭଲମେଣ୍ଟ କରିବା ଆବଶ୍ୟକ ବୋଲି କହିଛନ୍ତି ।
ଏପଟେ ସରକାରୀ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ଯେ, ମୋବାଇଲରୁ ଦୂରେଇବା ପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି। ଅନଲାଇନ କ୍ଳାସ ଛଡା ବାକି ସମୟରେ ପିଲାଙ୍କୁ ମୋବାଇଲ ନଦେବା ଏବଂ ଯଦି ପିଲାମାନେ ମୋବାଇଲ ଧରୁଛନ୍ତି ତେବେ ପାଖରେ ଜଣେ ଅଭିଭାବକ ଉପସ୍ଥିତ ରହିବା ଆବଶ୍ୟକ । ଦେଖିବାକୁ ଗଲେ ରାଜ୍ୟରେ କରୋନା ସମୟରେ ମୋବାଇଲରେ ବ୍ୟବହାର ବଢିଛି । କିନ୍ତୁ, ଅନେକ ସମୟରେ ମୋବାଇଲ ବ୍ୟବହାରରେ ପିଲାମାନେ ଅପବ୍ୟବହାର କରୁଛନ୍ତି । ମୋବାଇଲରେ ଗେମ ଖେଳିବା ସହ ଅଶ୍ଳିଳ ଭିଡିଓ ଓ ଦୀର୍ଘ ସମୟ ଧରି ମୋବାଇଲରେ ରହୁଛନ୍ତି । ଏହାଦ୍ୱାରା ସାଇବର କ୍ରାଇମ ହେବାର ଯଥେଷ୍ଟ ସମ୍ଭାବନା ରହୁଛି।