କିରାଣି ଓ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ବ୍ୟାପକ ଆୟବହିର୍ଭୂତ ସମ୍ପତ୍ତି ଠାବ
ବଲାଙ୍ଗିର/ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦୁଇ ଜଣ ସରକାରୀ କର୍ମଚାରୀଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଏହି ଦୁଇ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ଜଣେ ହେଲେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରୁଥିବା ରମେଶ କୁମାର ନାଗ ଓ ଅନ୍ୟ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଆର୍ଡି ଡିଭିଜନର ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ଋଷିନାଥ ବରାଳ। ନାଗଙ୍କ ବଲାଙ୍ଗିରର ଶାନ୍ତିପଡ଼ାସ୍ଥିତ ବାସଭବନ, ତାଲପାଲିପଡ଼ାରେ ଥିବା ତାଙ୍କ ପୈତୃକ ଘର ସହ ସୁବର୍ଣ୍ଣପୁର କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଚଢ଼ାଉ ବେଳେ ବିଭିନ୍ନ ଆକାଉଣ୍ଟ ଓ ଜମିବାଡି କାଗଜପତ୍ର ତଥା କିଛି ସୁନାଗହଣା ମିଳିଥିବା ସୂଚନା ମିଳିଛି। ବଲାଙ୍ଗିର ଡିଏସପିଙ୍କ ନେତୃତ୍ୱରେ ବଲାଙ୍ଗିର,ସୋନପୁର ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉ କରିଥିଲେ। ନାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଟିମ୍ ତଦନ୍ତ କରିବା ସହ ଗୁରୁବାର ତାଙ୍କ ଘର ଉପରେ ଚଢ଼ାଉ କରିଥିଲା। ତେବେ ନାଗ ଏନେଇ କହିଛନ୍ତି ଯେ ତାଙ୍କ ନିକଟରେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନାହିଁ। ଶାନ୍ତିପଡ଼ାରେ ଥିବା ତିନି ମହଲା କୋଠାରେ ଭାଇମାନେ ମିଶି କରି ରହୁଥିବା ବେଳେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ହୋଇଥିବା ନାଗ ସଫେଇ ଦେଇ କହିଛନ୍ତି।
ସେହିପରି ଋଷିନାଥଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଋଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳର ୪ଟି ସ୍ଥାନରେ ଚଢାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସର ୪ଟି ଟିମ୍ ଏହି ଚଢ଼ାଉ କରିଛି। ଭିଜିଲାନ୍ସ ବିଭାଗର ୪ ଜଣ ଡିଏସପିଙ୍କ ନେତୃତ୍ୱରେ ୮ ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉରେ ଅଂଶଗ୍ରହଣ କରିଥିଲେ। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର୍, ନଗଦ ୧.୩୦ ଲକ୍ଷ ଟଙ୍କା ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଋଷିନାଥ ଆୟ ବହିର୍ଭୂତ ସମ୍ପର୍ତ୍ତି ଠୁଳ କରିଥିବା ନେଇ ଏକାଧିକ ବାର ଅଭିଯୋଗ ହେବା ପରେ ଗୁରୁବାର ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା। ଋଷିନାଥଙ୍କୁ ଭୁବନେଶ୍ୱରରେ ଥିବା କ୍ରାଇମବ୍ରାଞ୍ଚ ଅଫିସକୁ ଆଣି ଭିଜିଲାନ୍ସ ପଚରାଉଚରା ଜାରି ରଖିଛି। ଏଥିସହ ଋଷିନାଥଙ୍କ ସ୍ଥାବର ଅବସ୍ଥାବର ସମ୍ପତ୍ତିର ଖୋଳତାଡ ମଧ୍ୟ ଭିଜିଲାନ୍ସ କରୁଥିବା ଜଣାପଡ଼ିଛି।