ଟି-୨୦ ବିଶ୍ୱକପ୍ ଫାଇନାଲ : ନ୍ୟୁଜିଲାଣ୍ଡକୁ ୮ ଉଇକେଟ୍ରେ ହରାଇ ପ୍ରଥମଥର ପାଇଁ ଟ୍ରଫି ଜିତିଲା ଅଷ୍ଟ୍ରେଲିଆ
ଦୁବାଇ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ – ୨୦୧୧ ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ। ନ୍ୟୁଜିଲାଣ୍ଡ ବିପକ୍ଷରେ ୮ ଉଇକେଟରେ ଜିତି ପ୍ରଥମଥର ପାଇଁ କପ ଜିତିଲା ଅଷ୍ଟ୍ରେଲିଆ। ବୋଲର ପରେ ବ୍ୟାଟ୍ସମ୍ୟାନଙ୍କ ଉତ୍ତମ ପ୍ରଦର୍ଶନ ଆଣିଦେଲା ବିଜୟ । ମିଚେଲ ମାର୍ସ ୭୭* ଓ ୱାର୍ଣ୍ଣରଙ୍କ ୫୩ ଦମଦାର ଅର୍ଦ୍ଧଶତକୀୟ ପାରି ଯୋଗୁଁ ବିଜୟ ହାସଲ । ୧୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଟ୍ରଫି ଜିତିବାରେ ସଫଳ ହୋଇଛି। ଅନ୍ୟପଟେ ନ୍ୟୁଜିଲାଣ୍ଡର ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ଏହା ପୂର୍ବରୁ ୨୦୧୫ରେ ମଧ୍ୟ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ଦିନିକିଆ ବିଶ୍ଵ କପ୍ ଫାଇନାଲ୍ରେ ପରାସ୍ତ କରିଥିଲା। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ମିଚେଲ୍ ମାର୍ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୮ ଓ୍ଵିକେଟ୍ରେ ହରାଇ ଟି-୨୦ ବିଶ୍ଵ କପ୍ ଜିତିଛି। ଏଥିସହ ରନର୍ସ ଅପରେ ନ୍ୟୁଜିଲାଣ୍ଡକୁ ସନ୍ତୁଷ୍ଟ ହେବାକୁ ପଡିଛି। ୨୦୧୯ ଦିନିକିଆ ବିଶ୍ଵ କପରେ ମଧ୍ୟ ନ୍ୟୁଜିଲାଣ୍ଡକୁ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାରେ ସକ୍ଷମ ହୋଇଛି। ଦଳ ଏହା ପୂର୍ବରୁ ୨୦୧୦ରେ ଫାଇନାଲ୍ରେ ପ୍ରବେଶ କରିଥିଲା। କିନ୍ତୁ ଇଂଲଣ୍ଡ ହାତରୁ ପରାଜିତ ହୋଇଥିଲା।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ ଓ ଡାରିଏଲ୍ ମିଚେଲ୍ ୨୮ ରନ୍ ଯୋଡ଼ିଥିଲେ। ପାକିସ୍ତାନ ବିପକ୍ଷରେ ୭୨ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ମିଚେଲ୍ ଆଜି ମାତ୍ର ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲଙ୍କ ଆଉଟ୍ ପରେ କିୱି ଟିମର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ ଦଳ ୧୦ ଓଭରରେ ମାତ୍ର ୫୭ ରନ୍ କରିପାରିଥିଲା। ତେବେ ଏହା ପରଠାରୁ ୱିଲିୟମସନ୍ ଗିୟର ବଦଳାଇଥିଲେ। ଅନ୍ୟପଟେ ଗପ୍ଟିଲ ବଡ଼ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୨୮ ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଏହା ପରେ ୱିଲିୟମସନଙ୍କୁ ଭରପୂର ସାଥ୍ ଦେଇଥିଲେ ଗ୍ଲେନ୍ ଫିଲିପ୍ସ। ୱିଲିୟମସନ୍ ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୱିଲିୟମସନ୍ ଓ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୩୬ ବଲରେ ୭୮ ରନର ଭାଗିଦାରୀ କରିଥିଲେ। ଫିଲିପ୍ସ (୧୮)ଙ୍କୁ ଜୋଶ ହେଜଲଉଡ୍ ଆଉଟ୍ କରିଥିଲେ। ଏହା ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ୱିଲିୟମସନଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ହେଜଲଉଡ୍। ୱିଲିୟମସନ୍ ମାତ୍ର ୪୮ ବଲରେ ୮୫ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲେ। ୱିଲିୟମସନଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ଏହା ପରେ ଜେମ୍ସ ନିଶାମ ଓ ଟିମ୍ ସିଫର୍ଟ ମିଶିକି କିୱି ଟିମକୁ ୧୭୨ ରନରେ ପହଞ୍ଚାଇଥିଲେ। ନିଶାମ ୧୩ ଓ ସିଫର୍ଟ ୮ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ୪ ଓଭରରେ ମାତ୍ର ୧୬ ରନ୍ ନେଇ ୩ଟି ୱିକେଟ୍ ନେଇଥିଲେ। ଅନ୍ୟପଟେ ମିଚେଲ୍ ଷ୍ଟାର୍କ ସବୁଠାରୁ ମହଙ୍ଗା ବୋଲର ଭାବେ ୪ ଓଭରରେ ୬୦ ରନ୍ ବ୍ୟୟ କରିଥିଲେ।