ଟି-୨୦ ବିଶ୍ୱକପ୍ ଫାଇନାଲ୍ : ଅଷ୍ଟ୍ରେଲିଆକୁ ୧୭୩ ରନ୍ର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ
ଦୁବାଇ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପରେ ଆଜି ଫାଇନାଲ୍ ମୁକାବିଲା । ଏଥିରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ରବିବାର ଅଷ୍ଟ୍ରେଲିଆ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଟସ୍ ଜିତିବା ପରେ କ୍ୱିଓ୍ଵି ଦଳକୁ କଙ୍ଗାରୁ ଟିମ୍ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ଙ୍କ ୮୫ ରନ୍ ଯୋଗୁଁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୭୨ ରନ୍ କରିଛି। ଫଳରେ ଅଷ୍ଟ୍ରେଲିଆକୁ ୧୭୩ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ ଓ ଡାରିଏଲ୍ ମିଚେଲ୍ ୨୮ ରନ୍ ଯୋଡ଼ିଥିଲେ। ପାକିସ୍ତାନ ବିପକ୍ଷରେ ୭୨ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ମିଚେଲ୍ ଆଜି ମାତ୍ର ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲଙ୍କ ଆଉଟ୍ ପରେ କିୱି ଟିମର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ ଦଳ ୧୦ ଓଭରରେ ମାତ୍ର ୫୭ ରନ୍ କରିପାରିଥିଲା। ତେବେ ଏହା ପରଠାରୁ ୱିଲିୟମସନ୍ ଗିୟର ବଦଳାଇଥିଲେ। ଅନ୍ୟପଟେ ଗପ୍ଟିଲ ବଡ଼ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୨୮ ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଏହା ପରେ ୱିଲିୟମସନଙ୍କୁ ଭରପୂର ସାଥ୍ ଦେଇଥିଲେ ଗ୍ଲେନ୍ ଫିଲିପ୍ସ। ୱିଲିୟମସନ୍ ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୱିଲିୟମସନ୍ ଓ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୩୬ ବଲରେ ୭୮ ରନର ଭାଗିଦାରୀ କରିଥିଲେ। ଫିଲିପ୍ସ (୧୮)ଙ୍କୁ ଜୋଶ ହେଜଲଉଡ୍ ଆଉଟ୍ କରିଥିଲେ। ଏହା ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ୱିଲିୟମସନଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ହେଜଲଉଡ୍। ୱିଲିୟମସନ୍ ମାତ୍ର ୪୮ ବଲରେ ୮୫ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲେ। ୱିଲିୟମସନଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ଏହା ପରେ ଜେମ୍ସ ନିଶାମ ଓ ଟିମ୍ ସିଫର୍ଟ ମିଶିକି କିୱି ଟିମକୁ ୧୭୨ ରନରେ ପହଞ୍ଚାଇଥିଲେ। ନିଶାମ ୧୩ ଓ ସିଫର୍ଟ ୮ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ୪ ଓଭରରେ ମାତ୍ର ୧୬ ରନ୍ ନେଇ ୩ଟି ୱିକେଟ୍ ନେଇଥିଲେ। ଅନ୍ୟପଟେ ମିଚେଲ୍ ଷ୍ଟାର୍କ ସବୁଠାରୁ ମହଙ୍ଗା ବୋଲର ଭାବେ ୪ ଓଭରରେ ୬୦ ରନ୍ ବ୍ୟୟ କରିଥିଲେ।