ତିନି ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ହାଇଦ୍ରାବାଦ : ଆଜି ଠାରୁ ତିନି ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶନିବାର ସନ୍ଧ୍ୟାବେଳେ ଅମିତ ଶାହ ତିରୁପତି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିବେ ଓ ରାତିରେ ତୀର୍ଥ ନଗରୀରେ ରହିବେ। ସେହିପରି ରବିବାର ୨୯ତମ ଦକ୍ଷିଣ କ୍ଷେତ୍ରୀୟ ପରିଷଦ ବୈଠକରେ ଯୋଗଦେଇ ଏହାର ଅଧ୍ୟକ୍ଷତା କରିବେ ଶ୍ରୀ ଶାହ । ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡି ତାଙ୍କ କ୍ୟାବିନେଟ ସହଯୋଗୀମାନଙ୍କ ସହ ଚିତ୍ତୁର ଜିଲ୍ଲାରେ ଅପେକ୍ଷା କରିବେ ବୋଲି ଜଣାପଡ଼ିଛି ।
କେନ୍ଦ୍ର ଗୃହମନ୍ତ୍ରୀ ରବିବାର ସକାଳେ ନିଲ୍ଲୋର ଜିଲାରେ ୱେଙ୍କଟଚଲମ ଯିବେ। ସେଠାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଉପରାଷ୍ଟ୍ରପତିଙ୍କ ଝିଅ ଦୀପାଙ୍କ ଦ୍ୱାରା ସଞ୍ଚାଳିତ ସ୍ୱର୍ଣ୍ଣଭାରତୀ ଟ୍ରଷ୍ଟର ଅକ୍ଷରା ବିଦ୍ୟାଳୟ ଓ ସୋମା ବ୍ୟବସାୟିକ କେନ୍ଦ୍ର ବୁଲି ଦେଖିବେ। ସେ ଦ୍ୱିପ୍ରହରରେ ଟ୍ରଷ୍ଟର ୨୦ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ। ଏହି ଟ୍ରଷ୍ଟ ପରିସରରେ ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପ୍ରହର ଭୋଜନ ଗ୍ରହଣ କରିବେ । ଭୋଜନ ପରେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ହୋଟେଲ ତାଜ୍ରେ ହେବାକୁ ଥିବା ଦକ୍ଷିଣ କ୍ଷେତ୍ରୀୟ ପରିଷଦ ବୈଠକରେ ଯୋଗଦେବା ପାଇଁ ତିରୁପତି ଯିବେ। ସମସ୍ତ କାର୍ଯ୍ୟକ୍ରମ ଶେଷ ହେଲା ପରେ ତିରୁମାଲା ଯାଇ ସେଠାରେ ରାତ୍ରି ବିଶ୍ରାମ କରିବେ ଶାହ। ସୋମବାର ସକାଳେ ଭେଙ୍କଟେଶ୍ୱରଙ୍କ ପାଖରେ ପୂଜା କରି ତିରୁପତି ରାସ୍ତାରେ ସେ ଦିଲ୍ଲୀକୁ ଫେରିବେ ବୋଲି ଜଣାପଡ଼ିଛି ।