ଗଞ୍ଜେଇ ଚାଷ କରି ୩ ଗିରଫ
ସମ୍ବଲପୁର : ସମ୍ବଲପୁରରେ ବଢିବାରେ ଲାଗିଛି ନିଶା କାରବାର। ହିତସରା ଜଙ୍ଗଲ ଭିତରେ ଗ୍ରୀନ ଡାଇମଣ୍ଡ କୁହାଯାଉଥିବା ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଏନେଇ ସୂଚନା ଦେଇଛନ୍ତି।
ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢିବାରେ ଲାଗିଛି। ସମ୍ବଲପୁର ଜିଲାର ନାକଟିଦେଉଳ ଥାନା ଅଞ୍ଚଳର ହିତସରା ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁର ସୁମନ୍ତ ସାହୁ, ଶ୍ରୀବତ୍ସ ଦେହୁରୀ ଓ ଶ୍ରୀକର ଦେହୁରୀ ବୋଲି ଜଣାପଡିଛି। ସୂଚନା କେ, ଗତ ୯ ତାରିଖରେ ସମ୍ବଲପୁରର ହିତସରା ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ପୋଲିସ ଖବର ପାଇଥିଲା। ପରେ ଜିଲା ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ହିତସରା ଜଙ୍ଗଲରେ ଚଢାଉ କରାଯାଇଥିଲା। ପରେ ଚାଷ ହୋଇଥିବା ୩୩୫୦ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଜଙ୍ଗଲ ଭିତରେ ୫ଟି ସ୍ଥାନରେ ୩୧ ଡ଼ିସିମିଲ ଜମିରେ ଏହି ଗଞ୍ଜେଇ ଚାଷ ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।