ଅଁଳା ନବମୀରେ ଦାନ ଓ ଧର୍ମର ମହତ୍ତ୍ୱ : ବର୍ତ୍ତମାନ ସହିତ ଆଗାମୀ ଜନ୍ମରେ ମଧ୍ୟ ପ୍ରାପ୍ତ ହୋଇଥାଏ ପୁଣ୍ୟଫଳ
ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ‘ଅକ୍ଷୟ ନବମୀ’ ମଧ୍ୟ କୁହାଯାଇଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ କୁହାଯାଇଥାଏ। ଏହି ଦିନ ଦାନ, ଧର୍ମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଆପଣଙ୍କୁ ପୁଣ୍ୟଫଳ ବର୍ତ୍ତମାନ ସହିତ ଆଗାମୀ ଜନ୍ମରେ ମଧ୍ୟ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ, ପବିତ୍ର ଅଁଳା ନବମୀରେ ଅଁଳା ଗଛକୁ ପୂଜାର୍ଚ୍ଚନା କରାଯାଇଥାଏ। କୁହାଯାଏ, ଏମିତି କରିବା ଦ୍ୱାରା ବ୍ୟକ୍ତିର ସବୁ ପାପ କ୍ଷୟ ହୋଇଯାଇଥାଏ।
ଅଁଳା ନବମୀ ଦିନ ଅଁଳା ବୃକ୍ଷ ତଳେ ଭୋଜନ ପ୍ରସ୍ତୁତ କରିବା ଏବଂ ଭୋଜନ କରିବାର ବିଶେଷ ମହତ୍ତ୍ୱ ରହିଛି। ଅଁଳା ନବମୀରେ ହିଁ ଭଗବାନ ବିଷ୍ଣୁ କୁଷ୍ମାଣ୍ଡକ ଦୈତ୍ୟକୁ ମାରିଥିଲେ। ଏହି ଦିନ ଭଗବାନ ଶ୍ରୀକୃଷ୍ଣ କଂସ ବଧ ପୂର୍ବରୁ ୩ ଜଙ୍ଗଲ ପରିକ୍ରମା କରିଥିଲେ। ସନ୍ତାନ ପ୍ରାପ୍ତି ଲାଗି ଏହି ନବମୀ ତିଥିରେ ପୂଜାର୍ଚ୍ଚନା କରିବାର ମଧ୍ୟ ବିଧି ପ୍ରଚଳିତ ରହିଛି। ଏହି ବ୍ରତରେ ଭଗବାନ ଶ୍ରୀହରିଙ୍କୁ ସ୍ମରଣ କରି ରାତ୍ରି ଜାଗରଣ କରିବା ଉଚିତ।
ମହିଳାମାନେ ଅଁଳା ନବମୀ ଦିନ ସକାଳୁ ସ୍ନାନ, ଶୌଚ ଆଦି ସାରି କୌଣସି ଅଁଳା ବୃକ୍ଷ ନିକଟକୁ ଯାଆନ୍ତୁ। ଆଖପାଖକୁ ସଫାସୁତରା କରି ଅଁଳା ବୃକ୍ଷ ମୂଳେ ଶୁଦ୍ଧ ଜଳ ଅର୍ପଣ କରନ୍ତୁ। ଏହାପରେ ସେଠାରେ କଞ୍ଚା କ୍ଷୀର ଢାଳନ୍ତୁ। ପୂଜା ସାମଗ୍ରୀ ଦ୍ୱାରା ବୃକ୍ଷକୁ ପୂଜା କରନ୍ତୁ ଏବଂ ଗଛର ଗଣ୍ଡିରେ ପବିତ୍ର ସୂତାକୁ ୮ ଥର ପରିକ୍ରମା ସହିତ ବାନ୍ଧି ଦିଅନ୍ତୁ। କିଛି ଜାଗାରେ ୧୦୮ ଥର ମଧ୍ୟ ପରିକ୍ରମା କରାଯାଇଥାଏ। ଏହାପରେ ପରିବାର ଏବଂ ସନ୍ତାନସନ୍ତତିଙ୍କ ସୁଖ, ସମୃଦ୍ଧି କାମନା କରନ୍ତୁ। ବିଶ୍ୱାସ ରହିଛି ଯେ ଅଁଳା ବୃକ୍ଷ ତଳେ ବସି ପରିବାର ଓ ସାଙ୍ଗସାଥୀଙ୍କ ସହ ମିଶି ଭୋଜନ କଲେ ଅଶେଷ ଲାଭ ମିଳିଥାଏ। କିନ୍ତୁ ଏଥି ପୂର୍ବରୁ ପ୍ରଥମେ କୌଣସି ବ୍ରାହ୍ମଣ କିମ୍ବା ସାଧକ, ଭକ୍ତମାନଙ୍କୁ ଭୋଜନ କରାଇ ନିଜେ ଭୋଜନ କରିବା ଉଚିତ। ସେହିପରି ପୂଜାରେ କର୍ପୂର କିମ୍ବା ଘିଅଦୀପ ଜାଳି ଅଁଳା ବୃକ୍ଷର ଆଳତି କରିବା ଉଚିତ୍।
ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମ ପଦ୍ମ ଫୁଲରେ ବସି ପରଂବ୍ରହ୍ମାଙ୍କୁ ତପସ୍ୟା କରୁଥିଲେ । ସେ ନିଜ ତପସ୍ୟାରେ ମଗ୍ନ ଥିଲେ । ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଯାଇଥିଲା । ବ୍ରହ୍ମଙ୍କ ଲୁହାରୁ ଅଁଳା ଗଛର ଉତ୍ପତ୍ତି ହୋଇଥିଲା ।
ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ବୃକ୍ଷର ଔଷଧୀୟ ଗୁଣ ରହିଛି ସେହି ସବୁ ବୃକ୍ଷକୁ ବିଶେଷ ତିଥିରେ ବିଶେଷ ପୂଜା କରିବାର ବିଧି ରହିଛି । ଅଁଳା ନବମୀ ଏହିଭଳି ଏକ ପରମ୍ପରାର ଅଂଶ । ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ବହୁତ ଔଷଧୀୟ ଗୁଣ ରହିଛି । ଅଁଳାରେ ଆଇରନ ଏବଂ ଭିଟାମିନ-ସି ଭରପୁର ରହିଛି । ପ୍ରତିଦିନ ଅଁଳା ରସ ପିଇଲେ ପାଚକ ଶକ୍ତି ବୃଦ୍ଧି ପାଇଥାଏ । ପ୍ରତିଦିନ ଅଁଳା ରସ ପିଇଲେ ତ୍ୱଚାର ଚମକ ମଧ୍ୟ ବଢିଥାଏ । ଅଁଳା ଖାଇଲେ ଚୁଟିର ମଧ୍ୟ ଚମକ ବଢିଥାଏ ।
କାଶୀନଗରରେ ଜଣେ ନିଃସନ୍ତାନ ବୈଶ୍ୟ ଧର୍ମାତ୍ମା ରହୁଥିଲେ । ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି ଭୈରବଙ୍କୁ ସେ ଏକ ବାଳକର ବଳି ଦେବେ ତାହେଲେ ତାଙ୍କର ପୁତ୍ର ପ୍ରାପ୍ତି ହେବ । ଏହି କଥା ବୈଶ୍ୟଙ୍କୁ ଜଣାପଡିବା ପରେ ସେ ମନା କରିଦେଇଥିଲେ । କିନ୍ତୁ ବୈଶ୍ୟଙ୍କ ପତ୍ନୀ ଏହି ମୌକା ଖୋଜୁଥିଲେ । ଦିନେ ବୈଶ୍ୟଙ୍କ ପତ୍ନୀ ଜଣେ କନ୍ୟାଙ୍କୁ କୂଅରେ ଧକ୍କା ଦେଇ ଭୈରବଙ୍କ ନାଁରେ ବଳି ଦେଇଦେଲେ । ତେବେ ଏହି ହତ୍ୟାର ପରିଣାମ ଓଲଟା ହୋଇଥିଲା । ହତ୍ୟା ଯୋଗୁଁ ବୈଶ୍ୟଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଗଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କଲା । ବୈଶ୍ୟ ପଚାରିବାରୁ ପତ୍ନୀ ସମସ୍ତ ଘଟଣା ବିଷୟରେ ତାଙ୍କୁ କହିଥିଲେ । ସମସ୍ତ ଘଟଣା ଶୁଣି ବୈଶ୍ୟ କହିଲେ, ଗୋବଧ, ବ୍ରାହ୍ମଣ ବଧ ତଥା ନାବାଳକ ବଧ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂସାରରେ କେଉଁଠି ବି ସ୍ଥାନ ନାହିଁ । ଗଙ୍ଗାରେ ଯାଇ ସ୍ନାନ କରି ଭଗବାନଙ୍କ ଭଜନ କରିବା ଦ୍ୱାରା ତାଙ୍କର ପାପର ପ୍ରାୟଶ୍ଚିତ ହେବ ବୋଲି ସେ ପତ୍ନୀଙ୍କୁ କହିଥିଲେ । ତେବେ ବୈଶ୍ୟଙ୍କ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗା ଗଲେ । ଗଙ୍ଗା ମା ତାଙ୍କୁ କାର୍ତ୍ତିକ ଶୁକ୍ଳ ପକ୍ଷ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ପାଇଁ କହିଥିଲେ । ଗଙ୍ଗା ମାଙ୍କ କହିବାନୁଯାୟୀ ବୈଶ୍ୟଙ୍କ ପତ୍ନୀ ଅଁଳା ଗଛର ପୂଜା କରି ଅଁଳା ସେବନ କରିବା ଦ୍ୱାରା ତାଙ୍କ ଶରୀର ରୋଗମୁକ୍ତ ହୋଇଥିଲା । ଏହି ପୂଜା କରିବା ଦ୍ୱାରା କିଛି ଦିନ ପରେ ତାଙ୍କର ପୁତ୍ର ମଧ୍ୟ ଜନ୍ମ ହୋଇଥିଲା । ସେହିଦିନ ଠାରୁ ହିନ୍ଦୁ ପରମ୍ପରାରେ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ଚାଲିଆସିଛି ।