ଆଜି ହାଇଦରକୁ ଓଡ଼ିଶା ଅଣାଯିବ
ଭୁବନେଶ୍ୱର : ୫ ଦିନର ଲୁଚକାଳି ପରେ ପୁଣି ପୋଲିସ ହାତରେ ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର୍ । ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦର ଧରାପଡ଼ିବା ପରେ ରାତି ଅଧରେ ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଇଛି ପୋଲିସ। ଏହା ପରେ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଇଛି। ଶୁକ୍ରବାର ବିମାନ ଯୋଗେ ହାଇଦରକୁ ଓଡ଼ିଶା ଅଣାଯିବ। ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ସୁରକ୍ଷା ବଳୟରେ କଟକ ନିଆଯିବ। ମଙ୍ଗଳାବାଗ ଥାନାରେ ମାମଲା ହୋଇଥିବାରୁ ପ୍ରଥମେ ସେଠାକୁ ନିଆଯିବ। ସେଠାରେ କାଗଜପତ୍ର କାମ ଶେଷ ହେବା ପରେ କୋର୍ଟରେ ହାଜର କରାଯିବ। କଟକ ବଡ଼ମେଡିକାଲରୁ ଫେରାର ହେବା ସହ ତେଲଙ୍ଗାନା ଯିବା, ଏହାର ପୂର୍ବ ଯୋଜନା, ଫେରାର ହେବା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ଖୋଳତାଡ଼ ହେବ ବୋଲି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସେହିପରି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଟକରେ ରହୁଥିବା ହାଇଦର ଗ୍ୟାଙ୍ଗ୍ର ପ୍ରାୟ ୧୦ ଜଣ ସହଯୋଗୀ ଏଥିପାଇଁ ସହଯୋଗ କରିଥିଲେ। ସମସ୍ତ ସହଯୋଗୀମାନଙ୍କୁ ଖୋଜା ଚାଲିଛି।
ହାଇଦର ତେଲେଙ୍ଗାନାରେ ଥିବା ଖବର ମିଳିବା ପରେ କଟକ ପୋଲିସର ଦୁଇଟି ଟିମ୍ ଗତ ୧୧ ତାରିଖଠାରୁ ସେଠାରେ ଡେରା ପକାଇଥିଲେ। ଏହି ଦୁଇଟି ଟିମ୍ରେ ଥିଲେ ୧୦ ଅଫିସର। ପ୍ରଥମେ ତା’ର କାର୍କୁ ଟ୍ରାକିଂ କରା ଯାଇଥିଲା। କାର୍ ଠାବ ହେବା ପରେ ହାଇଦରକୁ ଗିରଫ କରିବା ସହଜ ହୋଇଥିଲା। ପୋଲିସ ଆଗରେ ଆତ୍ମସମର୍ପଣ ପରେ ୟାକୁବ ହାଇଦର ଫେରାର ପଛରେ ସହଯୋଗ କରିଥିବା ସ୍ୱୀକାର କରିଥିଲା । କଟକ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଦୁଇଟି ଟିମ୍ । ହାଇଦର୍ ତେଲେଙ୍ଗାନାରେ ଥିବା ସୂଚନା ପାଇଥିଲା ପୋଲିସ । ଏହାପରେ ଓଡ଼ିଶା ପୋଲିସ ତେଲେଙ୍ଗାନାର ହାଇଦ୍ରାବାଦ୍ ପୋଲିସ ସହିତ ମିଶି ତାକୁ ଧରିବାକୁ ଅପରେସନ୍ ଆରମ୍ଭ କରିଥିଲା। ହାଇଦର ଏକ ବାଇକ୍ରେ ଯାଉଥିବା ବେଳେ ପୋଲିସର ମିଳିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ତାକୁ ଗିରଫ କରିଥିଲା ।