ରାଜଧାନୀରେ ଡ୍ରାଇଭର ମହାସଂଘର ବିଶାଳ ରାଲି
ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଛି । ହଜାର ହଜାର ସଂଖ୍ୟାରେ ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ନବୀନ ନିବାସ ଆଡକୁ ଅଗ୍ରସର ହୋଇଥିଲେ । ତେବେ ସରକାରଙ୍କ ସହ ଆଲୋଚନା ପରେ ସେମାନେ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି । କରୋନା ଯୋଦ୍ଧା ମାନ୍ୟତା ,୨୦ ଲକ୍ଷ ଟଙ୍କାର ବୀମା ଓ ଆର୍ଥିକ ସହାୟତା ଆଦି ଦାବିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସି ଆଜି ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ପହଂଚିଥିଲେ । ରାଜଧାନୀ ରାଜରାସ୍ତାରେ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା ହେତୁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିଲା । ରସୁଲଗଡ଼, ବାଣୀବିହାର ହୋଇ ହଜାର ହଜାର ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ନବୀନ ନିବାସ ଅଭିମୁଖେ ଯାଇଥିଲେ । ଏଥିଯୋଗୁଁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଇନସୁରାନ୍ସ ତଥା ୧୦ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ, ପ୍ରତି ୧୦୦ କିମି ଦୂରତାରେ ବସ୍ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ଏହାବାଦ ୫୫ ବର୍ଷ ପରେ ଲାଇସେନ୍ସ ରଦ୍ଦ କରାଯାଉ ଥିବାରୁ ପେନସନ୍ ବ୍ୟବସ୍ଥା, ଡ୍ରାଇଭରଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି । ସେହିପରି ଡ୍ରାଇଭରଙ୍କ ପ୍ରତିଦିନ କାମ କରିବାର ସମୟ ସୀମା ୮ ଘଂଟା ରଖିବା ସହ ଛୋଟ ଗାଡ଼ି ଡ୍ରାଇଭରଙ୍କ ଦରମା ଅତି କମ୍ ରେ ୧୫ ହଜାର ଟଙ୍କା ଓ ଲାଇନ୍ ଗାଡ଼ି ଡ୍ରାଇଭରଙ୍କ ଦରମା ୨୦ ହଜାର ଉପରେ ରଖିବାକୁ ଦାବି ହୋଇଛି । ୧୦ ଦଫା ଦାବି ପୂରଣ ନିମନ୍ତେ ଗତ ସେପ୍ଟେମ୍ବର ୧ ତାରିଖରେ ଡ୍ରାଇଭର ଦିବସ ଅବସରରେ ଓଡ଼ିଶାର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା । ମାତ୍ର ଡ୍ରାଇଭରଙ୍କ ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ମହାସଂଘ ।