ଆଜି ଅମିତ ଶାହଙ୍କୁ ଭେଟିବେ କ୍ୟାପ୍ଟେନ ଅମରିନ୍ଦର ସିଂହ
ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ବିଜେପି ମଧ୍ୟରେ ନିବିଡ଼ତା ବଢ଼ିବାରେ ଲାଗିଛି। କ୍ୟାପ୍ଟେନ କଂଗ୍ରେସ ଛାଡ଼ିବା ପରେ ନିଜର ଗୋଟିଏ ନୂଆ ରାଜନୀତିକ ଦଳ ତିଆରି କରିବାକୁ ପାଗ ଭିଡ଼ିଛନ୍ତି। ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ସେ କଂଗ୍ରେସକୁ ଚେକ୍ ଦେବାକୁ ନୂଆ ଦଳ ଗଠନ କରିବେ। ଦଳ ଗଠନ କରିବାକୁ ପୂର୍ବରୁ ସେ ବିଜେପିକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ। ବିଜେପି ମଧ୍ୟ ନିର୍ବାଚନରେ କ୍ୟାପ୍ଟେନଙ୍କ ସହ ବନ୍ଧୁତା କରିବ ବୋଲି କହିଛି। ଏସବୁ ଭିତରେ କାଲି ପୁଣିଥରେ କ୍ୟାପ୍ଟେନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିବେ। ଏହାପୂର୍ବରୁ ମଧ୍ୟ କ୍ୟାପ୍ଟେନ ଦିଲ୍ଲୀ ଆସି ଶ୍ରୀ ଶାହଙ୍କୁ ଭେଟିଥିଲେ। ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିବାକୁ କ୍ୟାପ୍ଟେନ କାଲି ଶାହଙ୍କୁ ଭେଟୁଥିବା କୁହାଯାଉଥିବା ବେଳେ ଏହା ପଛରେ ରାଜନୀତିକ ଅଭସନ୍ଧି ରହିଥିବା ଚର୍ଚ୍ଚା ହେଉଛି।
ଶାହଙ୍କ ସହ ଭେଟଘାଟ ସମ୍ପର୍କରେ ସୂଚନା ଦେଇ କ୍ୟାପ୍ଟେନ କହିଛନ୍ତି, “ ମୁଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବି। ମୋ ସହ ୨୫ରୁ ୩୦ ଜଣ ଲୋକ ମଧ୍ୟ ଯିବେ। କେନ୍ଦ୍ରର କୃଷି ଆଇନ ବିଷୟରେ କଥାବାର୍ତ୍ତା ହେବ। ମୁଁ ଭାବୁଛି ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ରାସ୍ତା ବାହାର କରିପାରିବି। ଏଥିପାଇଁ ବିଶେଷଜ୍ଞ କମିଟି ମୋ ସହ ଯାଉଛନ୍ତି। ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ କାମ କରିବା ସହ ମୁଁ ଜଣେ ଚାଷୀ। ତେଣୁ ଶାହଙ୍କ ସହ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ। ଚାଷୀଙ୍କ ପ୍ରସଙ୍ଗରେ ମୁଁ ପୂର୍ବରୁ ୩ଥର ଶାହଙ୍କୁ ଭେଟି ସାରିଛି। ମୁଁ ଜାଣିଶୁଣି ପୂର୍ବରୁ ଚାଷୀଙ୍କ ପ୍ରସଙ୍ଗରେ ହସ୍ତକ୍ଷେପ କରୁ ନଥିଲି। କାରଣ ଚାଷୀମାନେ ପୂରା ଆନ୍ଦୋଳନରେ ରାଜନେତାଙ୍କ ହସ୍ତକ୍ଷେପକୁ ଗ୍ରହଣ କରୁ ନଥିଲେ। ଏବେ କିନ୍ତୁ ଚାଷୀଙ୍କ ସମସ୍ୟା କେମିତି ସମାଧାନ ହେବ, ସେଥିପାଇଁ ମୁଁ ପ୍ରକାରର ଉଦ୍ୟମ କରୁଛି।” ସୂଚନା ଯେ, କେନ୍ଦ୍ରର ୩ଟି ଯାକ କୃଷି ଆଇନକୁ ବିରୋଧ କରି ଶତାଧିକ ଚାଷୀ ଦୀର୍ଘ ଗୋଟିଏ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି। କୃଷି ଆଇନ ପ୍ରତ୍ୟାହାର ଓ ଏମଏସ୍ପି ଉପରେ ଆଇନଗତ ଗ୍ୟାରେଣ୍ଟି ପାଇଁ ସେମାନେ ଦାବି କରୁଛନ୍ତି।