ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
ଶ୍ରୀନଗର : ସିଆରପିଏଫ୍ କ୍ୟାମ୍ପରେ ରାତି ବିତାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହ ଜମୁ କଶ୍ମୀର ଗସ୍ତର ୩ୟ ତଥା ଅନ୍ତିମ ଦିନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ଯବାନଙ୍କ ସହ କଲେ ରାତ୍ରି ଭୋଜନ । ଏହା ପୂର୍ବରୁ ସେ ଯବାନଙ୍କ ସହିତ ରାତ୍ରୀ ଭୋଜନ କରିଥିଲେ । ଅମିତ ଶାହ ପୁଲୱାମା ଜିଲ୍ଲାର ଲେଥପୋରାସ୍ଥିତ ସିଆରପିଏଫ କ୍ୟାମ୍ପସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୩ ଦିନ ରହଣି କାଳରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଶାହା । ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବଢୁଥିବାରୁ ତାକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ । ଶ୍ରୀ ଶାହ ସିଆରପିଏଫ କ୍ୟାମ୍ପରେ ଅନେକ ପ୍ରକାରର ଅସ୍ତ୍ରର ଅବଲୋକନ କରିଥିଲେ। ଅମିତ ଶାହ ଏହା ପୂର୍ବରୁ ଗସ୍ତର ୨ୟ ଦିନରେ ଭାରତ-ପାକିସ୍ତାନ ସୀମାରେ ଥିବା ପୋଷ୍ଟକୁ ଯାଇ ଜନସାଧାରଣଙ୍କୁ ଭେଟିଥିଲେ। ସ୍ଥାନୀୟ ଲୋକଙ୍କୁ ନିଜର ମୋବାଇଲ ଫୋନ ନମ୍ବର ଦେଇଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ କେନ୍ଦ୍ର ସରକାର କଶ୍ମୀରବାସୀଙ୍କୁ ସୁରକ୍ଷା ଦେବା ପାଇଁ ସବୁବେଳେ ଚିନ୍ତା କରୁଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ଆତଙ୍କବାଦୀକୁ ପ୍ରତିହତ କରିବା ପାଇଁ ଜାମ୍ମୁ କାଶ୍ମୀର ଗସ୍ତର ପ୍ରଥମ ଦିନରେ ଲମ୍ବା ସମୟ ଧରି ବୈଠକ କରିଥିଲେ ଶାହା । ୪ ଘଣ୍ଟା ଧରି ହୋଇଥିବା ଉକ୍ତ ବୈଠକରେ କେନ୍ଦ୍ରୀୟ ଏଜେନ୍ସିଙ୍କ ସହ ମିଶି କାମ କରିବା ପାଇଁ ବରିଷ୍ଠ ସେନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଆତଙ୍କବାଦର ମୂଳତ୍ପାଟନ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ତେବେ କଥା ହେଉଛି ଗୋଟିଏ ପଟେ ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟପଟେ ସୋମବାର ପୋଲିସ ଚେକ୍ ପୋଷ୍ଟ ଉପରେ ଆତଙ୍କବାଦୀ ଗ୍ରେନେଡ୍ ମାଡ କରିଥିଲେ । ସୂଚନା ଯେ, ଘାଟିରେ ଗତ କିଛି ଦିନ ହେଲା ଲଗାତାର ଭାବେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । କେବଳ ଭାରତୀୟ ସେନା ନୁହେଁ ସାଧାରଣ ଲୋକ ତଥା ବିଶେଷ କରି ଅଣ କାଶ୍ମୀରୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । କିଛିଦିନ ମଧ୍ୟରେ ୧୧ ଜଣଙ୍କୁ ଗୁଳିକରି ହତ୍ୟା କରିସାରିଲେଣି ଆତଙ୍କୀ । ଭାରତୀୟ ସେନା ପକ୍ଷରୁ ମଧ୍ୟ ମୁହଁତୋଡ ଜବାବ ଦିଆଯାଉଛି ।