ବାଲେଶ୍ୱରରୁ ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
- ପୋଲିସ ଓ ବେପାରୀ ମୁହାଁମୁହିଁ, ଜଣେ ଅଭିଯୁକ୍ତକୁ ଖସାଇନେଲେ
ବାଲେଶ୍ୱର : ବ୍ରାଉନ୍ସୁଗାର ବେପାରର ହବ୍ ପାଲଟିଥିବା ବାଲେଶ୍ୱର ଜିଲାରୁ ଦୈନିକ କେଉଁଠୁ ନା କେଉଁଠୁ ବିପୁଳ ପରିମାଣରେ ବ୍ରାଉନ୍ସୁଗାର ଜବତ ହେଉଛି । ଏସ୍ଟିଏଫ୍, ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼, ଅବକାରୀ ବିଭାଗ ଓ ପୋଲିସ ବିଭାଗ ଯେତେ ଚଢ଼ାଉ କଲେ ମଧ୍ୟ ବ୍ରାଉନ୍ସୁଗାର ବେପାର ବନ୍ଦ ହେବାରେ ନାଁ ଧରୁନି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଆଇଜି ହିମାଂଶୁ ଲାଲଙ୍କ ତତ୍ୱାବଧାନରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ପକ୍ଷରୁ ଶୁକ୍ରବାର ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ ଅତର୍କିତ ଚଢ଼ାଓ କରାଯାଇଛି । ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ବସ୍ତା ଥାନା ଓ ଜଳେଶ୍ୱର ଥାନା ପୋଲିସ ସହାୟତାରେ ଅବକାରୀ ବିଭାଗ ଏହି ଚଢ଼ାଉ କରାଯାଇଥିଲା । ଭୋର ସମୟରେ କୌଣସି ସୂତ୍ରରୁ ଖବର ପାଇ ଏକ ୩୫ ଜଣିଆ ସ୍ୱତନ୍ତ୍ର ଟିମ ବିଦ୍ୟାଧରପୁର ଗ୍ରାମର ସେକ ଅସଦୁଲ କାଦ୍ରୀଙ୍କ ଘରେ ଚଢ଼ଉ କରିଥିଲେ । ୨ କେଜି ୧୦୦ ଗ୍ରାମ (ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା) ବ୍ରାଉନସୁଗାର ଜବଦ କରିବା ସହ ନଗଦ ୧ଲକ୍ଷ ୭୫ ହଜାର ଟଙ୍କା ଜବଦ କରାଯାଇଥିଲା । ଅଭିଯୁକ୍ତ ବେପାରୀ ଅସଦୁଲ କାଦ୍ରୀ, ତାଙ୍କ ଭଉଣୀ କୁଇନ ପିନ କୁହାଯାଉଥିବା ନୁରଯାହନ ବିବି ଓ ସେକ କଲିମଙ୍କୁ ଗିରଫ କରିଥିଲେ ।
ଚଢଉ ସମୟରେ ପୋଲିସ ଟିମ ଉପରେ ବ୍ରାଉନସୁଗାର ମାଫିଆ ମାନେ ଅତର୍କିତ ଭାବରେ ଆକ୍ରମଣ କରି ପୋଲିସ ଗାଡ଼ିର କାଚକୁ ଭଙ୍ଗାରୁଜା କରିଥିଲେ । କୌଶଳ କ୍ରମେ ବ୍ରାଉନସୁଗାର ବେପାରୀ ସେକ କଲିମକୁ ଖସାଇନେବାରେ ସେମାନେ ସକ୍ଷମ ହୋଇଥିଲେ । ବ୍ରାଉନସୁଗାର ବସ୍ତାକୁ ଛଡ଼ାଇବା ପାଇଁ ଚେଷ୍ଟା କରି ମଧ୍ୟ ମାଫିଆ ମାନେ ବିଫଳ ହୋଇଥିଲେ । ଏହି ଘଟଣାରେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ନେଇ ବସ୍ତା ଥାନାରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ ଆଇଆଇସି ସରୋଜ ପରିଡ଼ା ୧୬ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଆଇଆଇସି ସୁବ୍ରତ କୁମାର ବେହେରା ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି । ହେଲେ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ର ଅଧିକାରୀ, ପୋଲିସ ଓ ଅବକାରୀ ବିଭାଗ ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ବ୍ରାଉନସୁଗାର ଓ ନଗଦ ଟଙ୍କା ଜବଦ କରିବାରେ ସମର୍ଥ ହୋଇଥିଲେ । ଏହି ନିଶା କାରବାରକୁ ରୋକିବା ପାଇଁ ଏଭଳି ଚଢଉ ଜାରି ରହିବ ବୋଲି ରାଜ୍ୟ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ଗଣମାଧ୍ୟମକୁ କହିଛନ୍ତି । ଅବାଧ ବ୍ରାଉନସୁଗାର ବେପାରକୁ ରୋକ ଲଗାଯିବା ଦିଗରେ ନିୟମିତ ଚଢ଼ାଉ ଜାରି ରହିବ ଓ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି ଚଢ଼ାଉରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ ଆଇଆଇସି ଶ୍ରୀ ପରିଡା ଓ ଉମାଶଙ୍କର ସ୍ୱାଇଁ,ଏସ୍ଆଇ ସଚିନ ବେହେରା ଓ ମନୀଷା ଭୋଳ, ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାରୀ, ଆଇଆଇସି ପ୍ରଜ୍ଞା ମହାନ୍ତି, ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି ପ୍ରମୁଖ ସାମିଲ ଥିଲେ । ସୂଚନା ଯେ, ଗତ ତିନିମାସ ମଧ୍ୟରେ ବାଲେଶ୍ୱରରେ ମୋଟ ୧୦କେଜି ୫୦୦ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଥିବା ବେଳେ ୭୨ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଅନେକ ମୋବାଇଲ୍ ଓ ବାଇକ୍ ମଧ୍ୟ ଜବତ କରାଯାଇଛି । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୋଲିସ୍ର ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବାର ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି ।