କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅନ୍ତର୍ଗତ ଭଗବାନ ବୁଦ୍ଧଙ୍କ ପରିନିର୍ବାଣ ଠାରେ କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦରକୁ ବୁଧବାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଶ୍ରୀଲଙ୍କାର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ କଲମ୍ବୋରୁ ଆସି କୁଶୀନଗରରେ ପହଞ୍ଚିଥିଲେ । ଏହି ଦଳରେ ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଏବଂ ଶ୍ରୀଲଙ୍କାର ପାଞ୍ଚଜଣ ମନ୍ତ୍ରୀ ଅନ୍ତର୍ଭୁକ୍ତ ଅଛନ୍ତି । କୁଶୀନଗର ଉତ୍ତର ପ୍ରଦେଶର ଉତ୍ତର ପୂର୍ବ ଭାଗରେ ଗୋରଖପୁର ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣରେ ପ୍ରାୟ ୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ବିମାନ ବନ୍ଦର ଉତ୍ତର ପ୍ରଦେଶ ଓ ବିହାରର ନିକଟବର୍ତ୍ତୀ ଜିଲାଗୁଡିକ ସକାଶେ ଗମନାଗମନର ଏକ ପ୍ରମୁଖ ସ୍ଥଳ ହେବା ସହିତ ଏହା ଉକ୍ତ ଅଞ୍ଚଳରେ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭକ୍ତମାନଙ୍କ ପାଇଁ ଭଗବାନ ବୁଦ୍ଧଙ୍କ ସହ ବିଜଡ଼ିତ ସ୍ଥାନଗୁଡ଼ିକର ବିକାଶ ଏବଂ ଉତ୍ତମ ଯୋଗାଯୋଗ ସୁବିଧା ସୃଷ୍ଟି ନିମନ୍ତେ ଏବେ ଭାରତରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। କୁଶୀନଗରର ବିକାଶ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ଥିଲା। ଗୁରତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଏ ଅଞ୍ଚଳରେ ସାମଗ୍ରିକ ଅର୍ଥନୈତିକ ନେଟ୍ଓ୍ଵାର୍କର ବିକାଶ କରିବା ସହ କୁଶୀନଗର ବିମାନ ବନ୍ଦର ନୂଆ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ।ଏହି ବିମାନ ବନ୍ଦରକୁ ମିଶାଇ କେବଳ ଉତ୍ତର ପ୍ରଦେଶରେ ଲୋକମାନଙ୍କ ପାଇଁ ୯ଟି ନୂଆ ବିମାନ ବନ୍ଦର ଏବଂ ଟର୍ମିନାଲ୍ ନିର୍ମାଣ କରାଯାଇଛି। ଭାରତର ବୃହତ୍ତମ ବିମାନ ବନ୍ଦର ହେବାକୁ ଯାଉଥିବା ‘ଜେଓ୍ଵାର୍ ବିମାନ ବନ୍ଦର’ର କାର୍ଯ୍ୟ ରେକର୍ଡ ବେଗରେ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଯେ, କୁଶୀନଗର ହେଉଛି ସମଗ୍ର ବିଶ୍ୱର ବୌଦ୍ଧଧର୍ମ ଅନୁଗାମୀମାନଙ୍କ ନିମନ୍ତେ ଅନ୍ୟତମ ପ୍ରମୁଖ ତୀର୍ଥସ୍ଥାନ। ଏହା ହେଉଛି ଗୌତମ ବୁଦ୍ଧଙ୍କର ଅନ୍ତିମ ବିଶ୍ରାମ ସ୍ଥଳ। ମୃତ୍ୟୁ ପରେ ବୁଦ୍ଧ ସେଠାରେ ମହାପରିନିର୍ବାଣ ପ୍ରାପ୍ତ ହୋଇଥିଲେ। ଶତାଧିକ ବୌଦ୍ଧ ଭିକ୍ଷୁ ପ୍ରତିନିଧିଙ୍କୁ ନେଇ ବାରାଣସୀରେ ପହଞ୍ଚିଥିବା ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ନାମାଲ ରଜପକ୍ଷେ କହିଛନ୍ତି, ଏହି ବିମାନ ବନ୍ଦର ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟାଏ ମହାନ୍ କାର୍ଯ୍ୟ। ତାହା ପୁଣି ଏଠାରେ ପ୍ରଥମ ଆନ୍ତର୍ଜାତିକ ବିମାନ ଭାବେ ଶ୍ରୀଲଙ୍କା ଏୟାର୍ ଲାଇନ୍ର ବିମାନକୁ ଅବତରଣ ପାଇଁ ଆମନ୍ତ୍ରଣ କରିଥିବାରୁ।