ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେନି ଜ୍ୟାକ୍ଲିନ୍
ମୁମ୍ବାଇ : ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ଅଭିନେତ୍ରୀ ଜ୍ୟାକଲିନ୍ ଆଜି ପୁଣି ଥରେ ଇଡିରେ ହାଜର ହେଲେ ନାହିଁ। ଚତୁର୍ଥ ଥର ପାଇଁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ଡକାଯାଇଥିଲା କିନ୍ତୁ ସେ ଆସିନଥିଲେ।
୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍କୁ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ସୋମବାର ଚତୁର୍ଥ ଥର ଏଡ଼ାଇ ଦେଇଛନ୍ତି। ଗତ ଶୁକ୍ରବାର ଓ ଶନିବାର ଦିନ ମଧ୍ୟ ସେ ‘ଇଡି’ର ପଚରାଉଚରା ଏଡ଼ାଇ ଦେଇଥିଲେ। କେତେକ ବୃତ୍ତିଗତ ଦାୟବଦ୍ଧତା କାରଣରୁ ତଦନ୍ତରେ ଯୋଗ ଦେବାକୁ ଅସମର୍ଥା ବୋଲି ସେ ତଦନ୍ତକାରୀମାନଙ୍କୁ ସୂଚନା ଦେଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ଆଜି ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଥିଲା। ଆସନ୍ତା ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପଚରା ଉଚରା ସ୍ଥଗିତ ରଖିବା ଲାଗି ସେ ‘ଇଡି’ ଅଧିକାରୀମାନଙ୍କୁ ଗତକାଲି ଅନୁରୋଧ କରିଥିଲେ। କିନ୍ତୁ, ଅଧିକାରୀମାନେ ଯଥାଶୀଘ୍ର ସମ୍ଭବ ତାଙ୍କୁ ପଚରା ଉଚରା କରିବାକୁ ଚାହାଁନ୍ତି। କେତେକ ବ୍ୟକ୍ତିଗତ ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ସେ ହାଜର ହୋଇ ପାରୁନାହାନ୍ତି ବୋଲି ଶୁକ୍ରବାର ଦିନ ସେ ‘ଇଡି’ ଅଧିକାରୀମାନଙ୍କୁ କହିଥିଲେ। ପୂର୍ବରୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାକ୍ୟୁଲିନ୍ଙ୍କ ବୟାନ ରେକର୍ଡ କରିଥିଲା। ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଲୀନା ଏବଂ ଅନ୍ୟ ୬ଜଣ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତରେ ଅଛନ୍ତି।
ସୂଚନାନୁସାରେ, ଅଭିନେତ୍ରୀ ବୃତ୍ତିଗତ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଅଧିକାରୀମାନଙ୍କୁ କହିଛନ୍ତି ଯେ ସେ ବର୍ତ୍ତମାନ କୌଣସି ଯାଞ୍ଚରେ ଯୋଗ ଦେଇ ପାରିବେ ନାହିଁ। ଜ୍ୟାକଲିନଙ୍କ ଇନଷ୍ଟା ଆକାଉଣ୍ଟକୁ ଦେଖିଲେ ଜଣା ପଡିଛି ଯେ ସେ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ସହ ସୁଟିଂରେ ବ୍ୟସ୍ତ ରହୁଛନ୍ତି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ଟଙ୍କା କାରବାରକୁ ନେଇ ତଦନ୍ତ କରିବାକୁ ଚାହୁଁଛନ୍ତି ଯାହା ଜ୍ୟାକଲିନଙ୍କ ସହ ଜଡିତ ବୋଲି କୁହାଯାଉଛି। ଅନ୍ୟପଟେ ନୋରା ଫତେହିଙ୍କୁ ମଧ୍ୟ ଗତ ଗୁରୁବାର ଏହି ମାମଲାରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କ ମୁଖପାତ୍ର କହିଛନ୍ତି, “ନୋରା ଫତେହି ଏହି ଘଟଣାର ଶିକାର ଏବଂ ସାକ୍ଷୀ। ସେ ସହଯୋଗ କରୁଛନ୍ତି ଏବଂ ଅନୁସନ୍ଧାନରେ ଅଧିକାରୀମାନଙ୍କୁ ସାହାଯ୍ୟ କରୁଛନ୍ତି। ଅଗଷ୍ଟ ମାସରେ ଇଡି ଚନ୍ଦ୍ରଶେଖରଙ୍କ ଘର ଉପରେ ଚଢାଉ କରି ଚେନ୍ନାଇରେ ଏକ ବଙ୍ଗଳାରୁ ୮୨.୫ ଲକ୍ଷ ଟଙ୍କା ଏବଂ ବିଳାସପୂର୍ଣ୍ଣ କାର ଜବତ କରିଛି। ୨୦୦ କୋଟି ଟଙ୍କା ସହ ଅପରାଧିକ ଷଡଯନ୍ତ୍ର, ଚୋରାଚାଲାଣ, ଚୋରୀ ଅଭିଯୋଗରେ ଦିଲ୍ଲୀ ପୋଲିସ ଚନ୍ଦ୍ରଶେଖର ଯାଞ୍ଚ କରୁଛି।