ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କୁ ଆଉ ୧୦ ଦିନ ଭାରତରେ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ
ନୂଆଦିଲ୍ଲୀ : ବ୍ରିଟେନର ନିଷ୍ପତି ପରେ ନରମିଲା ଭାରତ । ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ବ୍ରିଟେନରେ ୧୦ ଦିନିଆ ସଙ୍ଗରୋଧ ନିୟମକୁ ରଦ୍ଦ କରିବା ପରେ ବର୍ତମାନ ଭାରତ ମଧ୍ୟ ନିଷ୍ପତି ପରିବର୍ତନ କରିଛି । ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଅକ୍ଟୋବର ୧ରେ ଜାରି ହୋଇଥିବା ନୂତନ ଟ୍ରାଭେଲ ଆଡ଼ଭାଇଜରୀ ମଧ୍ୟ ଭାରତ ପ୍ରତ୍ୟାହାର କରିନେଇଛି । ଅର୍ଥାତ, ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କୁ ଆଉ ୧୦ ଦିନ ଭାରତରେ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ । ବର୍ତମାନ କେବଳ ଫେବୃଆରୀ ୧୭ରେ ଜାରି କରାଯାଇଥିବା ନିୟମ ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ।
ପୁରୁଣା ନିୟମ ଅନୁଯାୟୀ, ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନେଗେଟିଭ-ଆରଟିପିସିଆର ରିପୋର୍ଟ ଦେଖାଇବା ସହ ଏହି ରିପୋର୍ଟ ୭୨ ଘଂଟାରୁ ଅଧିକ ହୋଇନଥିବ । ଏହା ସହିତ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂରେ ସଂକ୍ରମଣର ଲକ୍ଷଣ ଦେଖାଦେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଅଲଗା ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ଅଛି । ସୂଚନା ଥାଉ କି, କୋଭିସିଲ୍ଡକୁ ବ୍ରିଟେନରେ ଅନୁମତି ଥିବା ସତ୍ୱେ ଭାରତରେ ଏହି ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଥିଲା । ଆଉ ଏହାର ପ୍ରତିଜ୍ୱାବ ଦେବାକୁ ଯାଇ ଭାରତ ସରକାର ନୂଆ ନିୟମ ଜାରି କରିଥିଲେ । ଏଥିରେ ବ୍ରିଟେନରୁ ଭାରତ ଆସୁଥିବା ବ୍ୟକ୍ତିମାନଙ୍କୁ ୧୦ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି କୁହାଯାଇଥିଲା । ଅକ୍ଟୋବର ୪ରୁ ଏହି ନିୟମ ଲାଗୁ ହୋଇଥିଲା । ଏହା ପରେ ବ୍ରିଟେନ ଯିବାକୁ ଥିବା ଭାରତୀୟମାନେ ଦୁଇ ଡୋଜ୍ ଟିକା ନେଇଥିଲେ ଆଉ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ହେବନାହିଁ ବୋଲି ବ୍ରିଟେନ ନିୟମ ପରିବର୍ତନ କରିଥିଲା । ଆଉ ବୁଧବାର ଭାରତ ସରକାର ମଧ୍ୟ ସଙ୍ଗରୋଧ ନିୟମକୁ ଉଠାଇ ଦେଇଛନ୍ତି ।