ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଡିଏଫଓ ଏବଂ ବିଦ୍ୟାଭାରତୀଙ୍କୁ କ୍ଲିନ ଚିଟ୍
ଭୁବନେଶ୍ଵର : ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ମିଳିଲା କ୍ଲିନ ଚିଟ୍। ସୌମ୍ୟଙ୍କ ମୃତ୍ୟୁରେ ଉଭୟଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଏପରିକି ଡିଏଫ୍ଓଙ୍କ ସହିତ ବିଦ୍ୟାଙ୍କର କୌଣସି ସମ୍ପର୍କ ନଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା ବୋଲି ଏଡିଜି କହିଛନ୍ତି। ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡିଛି। ବିଦ୍ୟାଙ୍କ ସହିତ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା। ସେହିପରି ରୋଷେୟାଙ୍କୁ ମଧ୍ୟ କ୍ଲିନ ଚିଟ୍ ମିଳିଛି। ତଦନ୍ତ ଏବଂ ମୃତ୍ୟୁକାଳୀନ ଜମାନବନ୍ଦୀ ଅନୁସାରେ ଡିଏଫଓଙ୍କ କୌଣସି ଭୂମିକା ନାହିଁ। ତାଙ୍କର ସଂପୃକ୍ତିକୁ ନେଇ କୌଣସି ପ୍ରମାଣ ମଧ୍ୟ ମିଳିନି। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କର ବି ଘଟଣାରେ କିଛି ଭୂମିକା ନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।
ଏନେଇ ଏଡିଜି କହିଛନ୍ତି, କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିବା ଜଣାପଡିଛି । ତେଣୁ ଦୁର୍ଘଟଣାରେ ଡିଏଫଓ ସଂଗ୍ରାମ ବେହେରା କିମ୍ବା ରୋଷେୟାଙ୍କ କୌଣସି ସଂପ୍ତୃକ୍ତି ନଥିଲା। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡିଛି ବୋଲି ଏଡିଜି କହିଛନ୍ତି। ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀ ନିଆଁ ଲିଭାଇନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।