ଆଣ୍ଠୁରେ ଗୁରୁତର ଆଘାତ : ଆଇପିଏଲ୍ରେ ଅଭିଯାନ ଶେଷ କଲେ କୁଲଦୀପ
ନୂଆଦିଲ୍ଲୀ : ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଚଳିତ ଆଇପିଏଲ୍ ଅଭିଯାନ ଶେଷ ହୋଇଛି । ଆଣ୍ଠୁରେ ଗୁରୁତର ଆଘାତ କାରଣରୁ ସେ ୟୁଏଇରେ ଚାଲିଥିବା ଆଇପିଏଲର ୧୪ଶ ସଂସ୍କରଣ ଅଧାରୁ ଛାଡ଼ି ସ୍ୱଦେଶ ଫେରିଆସିଛନ୍ତି । ତାଙ୍କର ଆହତ ଗୁରୁତର ଥିବାରୁ ଆଗାମୀ ଘରୋଇ ସିଜନରୁ ସେ ବାଦ୍ ପଡ଼ିପାରନ୍ତି । ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା କୁଲଦୀପ ଭାରତୀୟ ଟିମରୁ ବାଦ୍ ପଡ଼ିଛନ୍ତି ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିବା ପୂର୍ବରୁ ତାଙ୍କୁ ରିହ୍ୟାବିଲିଟେସନ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ।
ପିଟିଆଇ ରିପୋର୍ଟ ଅନୁଯାୟୀ, ୨୬ ବର୍ଷୀୟ କୁଲଦୀପ ପ୍ରାକ୍ଟିସ୍ ସେସନରେ ଫିଲ୍ଡିଂ କରୁଥିବା ବେଳେ ଆଘାତପ୍ରାପ୍ତ ହୋଇଛନ୍ତି । କୁଲଦୀପଙ୍କ ଆହତ ଏତେ ଗୁରୁତର ଯେ, ସେ ଚଳିତ ଆଇପିଏଲରେ ଆଉ ଭାଗ ନେଇପାରିବେ ନାହିଁ । ତେଣୁ ତାଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି । ଗତ ଦୁଇ ବର୍ଷ କୁଲଦୀପଙ୍କ ପାଇଁ ସବୁଠାରୁ କଠିନ ରହିଆସିଛି । ସିଡନୀରେ ୫ ୱିକେଟ୍ ନେବା ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ତାଙ୍କୁ ବିଦେଶ ପରିସ୍ଥିତିରେ ଭାରତର ନମ୍ବର-୧ ସ୍ପିନ୍ ବୋଲରର ଆଖ୍ୟା ଦେଇଥିଲେ । ହେଲେ ୨୦୧୯ ଆଇପିଏଲ୍ ପରଠାରୁ କୁଲଦୀପଙ୍କ ପ୍ରଦର୍ଶନ ଲଗାତର ଫିକା ପଡ଼ିବାରେ ଲାଗିଲା । ଯେଉଁ କୁଲଦୀପ ଚୂଡ଼ାନ୍ତ ଏକାଦଶରେ ନିଜ ସ୍ଥାନ ପକ୍କା ରଖୁଥିଲେ, ତାଙ୍କ ବଦଳରେ ଶାହବାଜ ନଦୀବଙ୍କୁ ସୁଯୋଗ ମିଳିଲା । ଏପରିକି ଚଳିତ ଆଇପିଏଲରେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ସେଭଳି ସୁଯୋଗ ଦେଇ ନାହିଁ । ତେବେ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ ପାଇଁ କୁଲଦୀପଙ୍କୁ ଉଭୟ ଦିନିକିଆ ଓ ଟି-୨୦ ପାଇଁ ଚୟନ କରାଯାଇଥିଲା । ସେଠାରେ ଦୁଇଟି ମ୍ୟାଚକୁ ଛାଡ଼ି ଦେଲେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇନାହିଁ । ଏଭଳି ସ୍ଥିତିରେ ତାଙ୍କୁ ଏବେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଡ଼ିବ । କୁଲଦୀପ ଭାରତ ପକ୍ଷରୁ ୭ ଟେଷ୍ଟ ଖେଳି ୨୬ ୱିକେଟ୍ ନେଇଥିବା ବେଳେ ୬୫ ଦିନିକିଆରେ ୧୦୭ ଏବଂ ୨୩ ଟି-୨୦ ମ୍ୟାଚରେ ୪୧ ୱିକେଟ୍ ନେଇଛନ୍ତି ।