ସୁହୈଲ୍ ଶାହୀନ୍ଙ୍କୁ ଜାତିସଂଘରେ ପ୍ରତିନିଧି ଘୋଷଣା କଲା ତାଲିବାନ
- ସାଧାରଣ ପରିଷଦରେ ଉଦବୋଧନ ଦେବାକୁ ପତ୍ର ଲେଖିଲା
କାବୁଲ : ବିଶ୍ୱ ସମୁଦାୟ ଦ୍ୱାରା ସ୍ୱୀକୃତି ପାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଆଫଗାନିସ୍ତାନର ତାଲିବାନ ସରକାର ଦୋହାସ୍ଥିତ ଏହାର ମୁଖପାତ୍ର ସୁହେଲ ସାହିନଙ୍କୁ ଜାତିସଂଘ ପାଇଁ ରାଷ୍ଟ୍ରଦୂତ ଭାବରେ ଘୋଷଣା କରିଛି। ଏଥିସହିତ ଜାତିସଂଘର ସାଧାରଣ ଅଧିବେଶନରେ ସେ ଉଦବୋଧନ ଦେବାକୁ ଏହା ଜାତିସଂଘକୁ ପତ୍ର ଲେଖିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ତାଲିବାନର ପତ୍ର ମିଳିଛି। ଏହା ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତ୍ତାକି ଲେଖିବା ସହିତ ଜାତିସଂଘର ସାଧାରଣ ଅଧିବେଶନରେ ଅଂଶଗ୍ରହଣ ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସେପ୍ଟେମ୍ବର ୨୦ ତାରିଖରେ ଏହି ପତ୍ର ଲେଖାଯାଇଛି। ଏଥିରେ ଏହା ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ ଗୁଲାମ ଇସାକଜାଇ ଆଉ ଜାତିସଂଘରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ହୋଇ ରହିନାହାନ୍ତି। ଇସଲାମିକ ଏମିରେଟ ଅଫ ଆଫଗାନିସ୍ତାନର ସରକାରୀ ଲେଟର ପ୍ୟାଡରେ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନର ରାଷ୍ଟ୍ରପତି ଆସରଫ ଘନି ବହିଷ୍କୃତ ହୋଇଛନ୍ତି। ଜାତିସଂଘ ମୁଖପାତ୍ର ଷ୍ଟିଫାନେ ଡୁଜାରିକ କହିଛନ୍ତି, ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସହିତ ପରାମର୍ଶ କରାଯିବା ପରେ ତାଲିବାନ ପଠାଇଥିବା ପତ୍ରକୁ ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେଶନ ପାଇଁ ରହିଥିବା କ୍ରେଡେନସିଆଲ କମିଟି ସଦସ୍ୟମାନଙ୍କ ନିକଟକୁ ପଠାଇ ଦିଆଯାଇଛି। ୯ ଜଣିଆ କମିଟି ତାହା ଉପରେ ନିଷ୍ପତ୍ତି ନେବେ।
ତାଲିବାନ୍ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତ୍ତାକ୍ବି ଜାତିସଂଘର ମହାସଚିବ ଆେଣ୍ଟୋନିଓ ଗୁଟେରେସ୍ଙ୍କୁ ଉପରୋକ୍ତ କଥା ଚିଠି ଲେଖି ଅନୁରୋଧ କରିଛନ୍ତି। ମୁତ୍ତାକ୍ବିଙ୍କ ଚିଠି ମିଳିଥିବା କଥା ଗୁଟେରେସ୍ଙ୍କ ମୁଖପାତ୍ର ଫର୍ହାନ୍ ହକ୍ ସୁନିଶ୍ଚିତ କରି କହିଛନ୍ତି। ଜାତିସଂଘରେ ପୂର୍ବତନ ଆଫଗାନ ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଜାତିସଂଘ ରାଷ୍ଟ୍ରଦୂତ ଗୁଲାମ୍ ଇସାକ୍ଜାଇଙ୍କୁ ଗତ ମାସରେ ତାଲିବାନ ବହିଷ୍କାର କରିଥିଲା। ଆଫଗାନିସ୍ତାର ଜାତିସଂଘ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିମାନେ କରିଥିବା ଅନୁରୋଧକୁ ୯ଜଣିଆ ସଦସ୍ୟ ବିଶିଷ୍ଟ ‘କ୍ରେଡେନ୍ସିଆଲ୍ କମିଟି’କୁ ପଠାଯାଇଛି। ଏହି କମିଟିରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଏବଂ ରୁଷ୍ ଆଦି ରାଷ୍ଟ୍ର ଅଛନ୍ତି। ଏ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ସୋମବାର ପୂର୍ବରୁ କମିଟି ବୈଠକ ବସିବ। ତେଣୁ, ଜାତିସଂଘରେ ତାଲିବାନ୍ର ବୈଦେଶିକ ମନ୍ତ୍ରୀ ଭାଷଣ ଦେବେ କି, ନାହିଁ ସନ୍ଦେହ। ସୁତରାଂ, ଜାତିସଂଘର ସାଧାରଣ ପରିଷଦ୍ ନିୟମ ଅନୁସାରେ, ନିଷ୍ପତ୍ତି ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ହକ୍ ତାଙ୍କ ଆସନରେ ରହିବେ ଏବଂ ସେପ୍ଟେମ୍ବର ୨୭ରେ ହେବାକୁ ଥିବା ସଭାରେ ଉଦ୍ବୋଧନ ଦେବେ। ତାଲିବାନ୍ ରାଷ୍ଟ୍ରଦୂତଙ୍କୁ ଜାତିସଂଘ ଗ୍ରହଣ କଲେ ଆନ୍ତର୍ଜାତିକ ସ୍ବୀକୃତି ଆଶା କରୁଥିବା ଏହି କଠୋରପନ୍ଥୀ ସଙ୍ଗଠନ ପାଇଁ ଖୁବ୍ ବଡ଼ ପଦକ୍ଷେପ ହେବ ଏବଂ ଆର୍ଥିକ ସଙ୍କଟରେ ପଡ଼ିଥିବା ଆଫଗାନିସ୍ତାନ ପାଇଁ ସହାୟତାର ଦ୍ବାର ଉନ୍ମୁକ୍ତ ହୋଇ ପାରିବ। କିନ୍ତୁ, ଗୁଟେରେସ୍ କହିଛନ୍ତି ଆନ୍ତର୍ଜାତିକ ସ୍ବୀକୃତି ପାଇଁ ତାଲିବାନ୍ର ଆକାଙ୍କ୍ଷା ଅନ୍ୟ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରେ। ଆଫଗାନିସ୍ତାନରେ ତାଲିବାନ୍ ସମନ୍ବିତ ସରକାର ଗଠନ କରୁ ଏବଂ ବିଶେଷକରି ମହିଳାଙ୍କ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରୁ ବୋଲି ଅନ୍ୟ ରାଷ୍ଟ୍ରମାନେ ଅଡ଼ି ବସିଛନ୍ତି।