ରାଜ୍ୟରେ ଆଉ ୭୩୪ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୧୦୧ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଅଗଷ୍ଟରେ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ବୁଧବାର ୨୫ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୨୪ ଓ ସ୍ଥାନୀୟ ଅଞ୍ଚଳରୁ ୩୧୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୧ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୧ହଜାର ୯୫୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୩ ଜଣ ଥିବାବେଳେ ବାଲେଶ୍ୱରରୁ ୩୦ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୧୦ ଜଣ, କଟକରୁ ୯୧ ଜଣ, ଢ଼େଙ୍କାନାଳରୁ ୫ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୩୨ ଜଣ, ଯାଜପୁରରୁ ୨୯ ଜଣ, ଝାରସୁଗୁଡ଼ାରୁ ୩ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, କେଉଁଝରରୁ ୩ ଜଣ, ଖୋର୍ଦ୍ଧାରୁ ୩୩୫ ଜଣ, କୋରାପୁଟରୁ ୪ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୨୭ଜଣ, ନୟାଗଡ଼ରୁ ୭ ଜଣ, ପୁରୀରୁ ୧୭ ଜଣ, ନୂଆପଡ଼ରୁ ଜଣେ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୭ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ରାଜ୍ୟ ପୁଲରୁ ୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୨୧,୯୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୦୮,୨୨୬ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୨୧ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୧,୯୪,୪୫,୬୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।