ଆଇପିଏଲ୍-୨୦୨୧ : ଆଜି ପଞ୍ଜାବ ଓ ରାଜସ୍ଥାନ ମୁକାବିଲା
ଦୁବାଇ : ଆଇପିଏଲ୍-୨୦୨୧ର ୩୨ତମ ଲିଗ୍ ମୁକାବିଲାରେ ମଙ୍ଗଳବାର ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ପାଇଁ ମ୍ୟାଚ୍ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଫଳରେ ଏହି ମ୍ୟାଚରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପଞ୍ଜାବ କିଙ୍ଗ୍ସ ମଧ୍ୟ ବିଜୟ ଲକ୍ଷ୍ୟ ରଖିଛି।
ଉଭୟ ଦଳରେ ବିସ୍ପୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଦୁବାଇରେ ଛକା ବର୍ଷା ହେବ । ପଞ୍ଜାବ କିଙ୍ଗ୍ସ ଦଳର ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍ ଓ କ୍ରିସ୍ ଗେଲ୍ ପ୍ରାରମ୍ଭିକ ବ୍ୟାଟିଂ ବିଭାଗ ସମ୍ଭାଳିବେ । ସେହିପରି ରାଜସ୍ଥାନ ଦଳରେ ରହିଛନ୍ତି ଏଭିନ ଲୁଇସ୍, ସଞ୍ଜୁ ସାମସନ ଓ ଲାଏମ ଲିଭିଙ୍ଗଷ୍ଟୋନଙ୍କ ଭଳି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ । ଜୋସ ବଟଲର ଦ୍ୱିତୀୟ ଭାଗ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଲୁଇସଙ୍କୁ ଚୁକ୍ତି କରିଛି ରାଜସ୍ଥାନ ରୟାଲ୍ସ । ଗତ କାରିବିୟନ ପ୍ରିମିୟର ଲିଗ୍(ସିପିଏଲ୍)ରେ ସେ ଚମତ୍କାର ବ୍ୟାଟିଂ କରି ଫର୍ମରେ ରହିଛନ୍ତି । ସ୍ପିନରଙ୍କ ବିପକ୍ଷରେ ମଧ୍ୟ ତ୍ରୁଟି ସୁଧାରି ସାରିଛନ୍ତି । ସେହିପରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଲିଭିଙ୍ଗଷ୍ଟୋନ ବେଶ୍ ଉନ୍ନତ ଫର୍ମରେ ରହିଛନ୍ତି । ସେ ଗତ ‘ହଣ୍ଡ୍ରେଡ୍ସ’ରେ ୩୪୮ ରନ୍ ସଂଗ୍ରହ କରିଥିଲେ । ପ୍ରଥମାର୍ଦ୍ଧ ଖେଳିଥିବା ପଞ୍ଜାବ କିଙ୍ଗସ ଦଳର ଦୁଇ ପେସ୍ ବୋଲର ଝେୟ ରିଚାର୍ଡସନ ଓ ରିଲି ମେରେଡିଥ୍ଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ । ତଥାପି ବୋଲିଂ ବିଭାଗ ଶକ୍ତିଶାଳୀ ରହିବ । ଯୁବ ପେସ୍ ବୋଲର ନାଥାନ ଏଲିସ୍ ଆଇପିଏଲ୍ ପଦାର୍ପଣ କରିବେ । ସେ ଟି-ଟ୍ୱେଣ୍ଟି ପଦାର୍ପଣରେ ହ୍ୟାଟ୍ରିକ୍ ଅର୍ଜନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି ।