ଆଇପିଏଲ-୨୦୨୧: ଦଶମ ଥର ଶୂନରେ ଆଉଟ୍ ହୋଇ ଧାଓ୍ଵନଙ୍କ ସମକକ୍ଷ ହେଲେ ଏବିଡି
ଆବୁଧାବି : ଆବୁଧାବିର ଶେଖି ଜାୟେଦ୍ ଷ୍ଟାଡିୟମ ଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୧ତମ ମ୍ୟାଚ ଆରସିବି ଓ କେକେଆର ମଧ୍ୟରେ ଅନୁଷ୍ଠିତ ହୋଇଛି । ଏଥିରେ ଆରସିବିର ତାରକା ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ ନିଜର ବ୍ୟାଟିଂ ଦମରେ ଦଳକୁ ଅନେକ ମ୍ୟାଚ୍ରେ ବିଜୟୀ କରାଇଛନ୍ତି। ହେଲେ ସୋମବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ସେ ପ୍ରଥମ ବଲ୍ରେ ହିଁ କ୍ଲିନବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ଆନ୍ଦ୍ରେ ରସେଲ ଡିଭିଲିୟର୍ସଙ୍କୁ ୟର୍କର ବଲ୍ରେ ବୋଲ୍ଡ କରିଛନ୍ତି ।
ଆଇପିଏଲ ଇତିହାସରେ ଡିଭିଲିୟର୍ସ ଦଶମ ଥର ଶୂନ୍ୟର ଶିକାର ହୋଇଛନ୍ତି। ଏହି ସମୟରେ ସେ ଛଅ ଥର ପ୍ରଥମ ବଲ୍ରେ ଆଉଟ୍ ହୋଇଛନ୍ତି। ସେହିପରି ଦୁଇ ଥର ଆଉଟ୍ ଦ୍ଵିତୀୟ ବଲ୍ ଏବଂ ଥରୁଟିଏ ଲେଖାଏଁ ତୃତୀୟ ଓ ସପ୍ତମ ବଲ୍ରେ ଆଉଟ୍ ହୋଇଛନ୍ତି। ଆଇପିଏଲ୍ରେ ଡିଭିଲିୟର୍ସଙ୍କୁ ରସେଲ୍ଙ୍କ ବ୍ୟତୀତ ଏଲବି ମୋର୍କେଲ୍, ସୁଦୀପ ତ୍ୟାଗୀ, ଜ୍ୟାକ୍ସ କାଲିସ, କେନ ରିଚାର୍ଡସନ ଓ ମୋଇଜେସ୍ ହେନରିକ୍ସ ପ୍ରଥମ ବଲ୍ରେ ଆଉଟ୍ କରିଛନ୍ତି। ଡିଭିଲିୟର୍ସ ଏବେ ଆଇପିଏଲରେ ସର୍ବାଧିକ ଥର ଶୂନ୍ୟରେ ଆଉଟ୍ ହେବା ମାମଲାରେ ଶିଖର ଧାଓ୍ଵନ ଓ ଅମିତ୍ର ମିଶ୍ରଙ୍କ ବରାବର କରିଛନ୍ତି। ତାଙ୍କ ଆଗରେ ରହିଛନ୍ତି ହରଭଜନ ସିଂହ, ପାର୍ଟିବ ପଟେଲ୍, ଆଜିଙ୍କ୍ୟ ରାହାଣେ, ଅମ୍ବତି ରାୟୁଡୁ ଓ ରୋହିତ ଶର୍ମା। ଏହି ପାଞ୍ଚ ବ୍ୟାଟସମ୍ୟାନ ଆଇପିଏଲ୍ରେ ସର୍ବାଧିକ ୧୩ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି। ମନୀଷ ପାଣ୍ଡେ, ପିୟୂଷ ଚାଓ୍ଵଲା, ଗୌତମ ଗମ୍ଭୀର ଓ ମନଦୀପ ସିଂହ ଦ୍ଵିତୀୟରେ ଅଛନ୍ତି। ଏହି ଚାରି ଖେଲାଳି ୧୨ ଥର ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ଏହି ତାଲିକାର ତୃତୀୟରେ ଅଛନ୍ତି ଗ୍ଲେନ ମ୍ୟାକ୍ସଓ୍ଵେଲ ଓ ଦିନେଶ କାର୍ତ୍ତି। ଏହି ଦୁଇ ବ୍ୟାଟସମ୍ୟାନ ୧୧-୧୧ ଥର ଶୂନ୍ୟର ଶିକାର ହୋଇଛନ୍ତି।