ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ପହଁଞ୍ଚିଲେ ବିଦ୍ୟାଭାରତୀ
ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ମୃତ୍ୟୁ ରହସ୍ୟ ଉପରି ପରଦା ହଟାଇବାକୁ ପ୍ରାଣପଣେ ଚେଷ୍ଟା କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ । ଏହି ପରିପ୍ରେକ୍ଷୀରେ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ବାପାଙ୍କ ସହିତ ଭୁବନେଶ୍ୱରର ରାଜ୍ୟ ଫରେନସିକ୍ ସାଇନ୍ସ ଲ୍ୟାବରେ ପହଁଞ୍ଚିଛନ୍ତି ପତ୍ନୀ ବିଦ୍ୟାଭାରତୀ । ପୁର୍ବରୁ ଶନିବାର ଦିନ ଡିଏଫଓ ସଂଗ୍ରାମକେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଥିଲା । ତେବେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।
ଶନିବାର ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟରଞ୍ଜନଙ୍କ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରାଜ୍ୟ ଫୋରେନସିକ୍ ଲାବୋରେଟୋରୀରେ ହୋଇଥିଲା । ଏ ନେଇ ସବିଶେଷ ସୂଚନା ମିଳି ପାରି ନଥିଲା ବେଳେ ଉଭୟଙ୍କର ପଲିଗ୍ରାଫ୍ ପରୀକ୍ଷା ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା । ଖବର ମୁତାବକ ଏହି ଯୋଡିଙ୍କୁ ପୃଥକ ଭାବରେ ୧୦୦ ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। ଲାଏ ଡିଟେକ୍ସନ ଟେଷ୍ଟରୁ ଅନୁସନ୍ଧାନକାରୀ ସଂସ୍ଥାକୁ ଏହି ରହସ୍ୟମୟ ମୃତ୍ୟୁ ମାମଲାରେ ନିଖୋଜ ଲିଙ୍କକୁ ସମାଧାନ କରିବ ଯାହା ଘଟଣା ଘଟିବା ପରଠାରୁ କୌଣସି ଅଗ୍ରଗତି କରିନାହିଁ। ଜୁଲାଇ ୧୨ ର ରାତିରେ ସୋମ୍ୟଙ୍କୁ ତାଙ୍କ ସରକାରୀ ବାସଭବନରୁ ୯୦% ପୋଡି ଆଘାତ ସହ ଉଦ୍ଧାର କରାଯାଇଥିଲା ଏବଂ ଗୋଟିଏ ଦିନ ପରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସୂଚନା ଯେ, ସୌମ୍ୟରଞ୍ଜନ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ୨ଟି ପର୍ଯ୍ୟାୟରେ ପାରଳାଖେମୁଣ୍ଡି, ଖଇରା ଓ କପ୍ତିପଦାରେ ପଚରାଉଚରା କରାଯାଇଛି । ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଏବଂ ରୋଷେୟାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର । ପୋଲିସ କ୍ଲିନ୍ ଚିଟ୍ ଦେଇ ସାରିଛି । ଏହାପରେ କିନ୍ତୁ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍ ଜେରା କରିଛି କ୍ରାଇମବ୍ରାଞ୍ଚ । ଘଟଣାର ୬୫ଦିନ ପରେ ଡିଏଫଓ ଏବଂ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ଆଜି ବିଦ୍ୟାଭାରତୀଙ୍କ ପାଳି । ମୃତ୍ୟୁ ଆଗରୁ ସୌମ୍ୟରଞ୍ଜନଙ୍କ ଚିକିତ୍ସା କରିଥିବା ଡାକ୍ତର, ତହସିଲଦାର ଏବଂ ଓଆଇସି ମମତା ପଣ୍ଡାଙ୍କର ମଧ୍ୟ ଲାଏ ଡିଟେକସନ୍ ଟେଷ୍ଟ କରିବାରୁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ ବଡ ଭାଇ ।