ଡିଆରଡିଓରୁ ତଥ୍ୟ ଲିକ୍ ଘଟଣା : ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ବାଲେଶ୍ୱର : ବାଲେଶ୍ୱର ଜିଲାର ଚାନ୍ଦିପୁର ଆଇଟିଆରରୁ ଗୁପ୍ତତଥ୍ୟ ଲିକ୍ ମାମଲାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ଆଜି ୭ଦିନିଆ ରିମାଣ୍ଡରେ ନେଇ ଓଡ଼ିଶା କ୍ରାଇମ ବ୍ରାଞ୍ଚ । ଏସଡିଜେଏମଙ୍କ ଅନୁମତି କ୍ରମେ କ୍ରାଇମବ୍ରାଞ୍ଚ ଟିମ ଅଭିଯୁକ୍ତମାନଙ୍କୁ ବାଲେଶ୍ୱର ଜେଲରୁ ଏକ ବସ୍ ଯୋଗେ କଡ଼ା ନିରାପତ୍ତା ମଧ୍ୟରେ କଟକ ନେଇ ଯାଇଛନ୍ତି । ସାତଦିନର ପଚରାଉଚୁରା ପରେ ଅଭିଯୁକ୍ତମାନଙ୍କୁ ପୁଣି କୋର୍ଟରେ ହାଜର କରିବ ଏହି ଟିମ । ଅଭିଯୁକ୍ତମାନଙ୍କୁ ନେବା ପାଇଁ ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର ସହ ସବଇନ୍ସପେକ୍ଟର ଓ ଜଣେ ଏଏସଆଇଙ୍କୁ ନେଇ ଗଠିତ ଟିମ ବାଲେଶ୍ୱର ଆସିଥିଲେ । ଅନ୍ୟ ପକ୍ଷରେ ଅଭିଯୁକ୍ତମାନଙ୍କ ସହ ସମ୍ପୃକ୍ତି ଅଭିଯୋଗରେ କ୍ରାଇମବ୍ରାଂଚ ଚାରି ଜଣ ବାଂଲଦେଶୀଙ୍କୁ ଅଟକ ରଖିଛି ଓ ଏହି ବାଂଲାଦେଶୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ ତଥ୍ୟ ବଦଳରେ ଅର୍ଥ ଦିଆଯାଇଥିବା ସନ୍ଦେହ କରିଛି କ୍ରାଇମବ୍ରାଂଚ । ପଡୋଶୀ ଦେଶକୁ କ୍ଷେପଣାସ୍ତ୍ର କେନ୍ଦ୍ର ସମ୍ପର୍କିତ ତଥ୍ୟ ପଠାଉଥିବା ଅଭିଯୋଗରେ ପ୍ରଥମେ ଚାନ୍ଦିପୁର ଥାନା ଅନ୍ତର୍ଗତ ଝାମ୍ପୁରା ହାଟ ଅଂଚଳର ବସନ୍ତ ବେହେରା (୫୨), ଶ୍ରୀକୋଣା ଅଂଚଳର ସେଖ ମୁସାଫିର (୩୨), ପାଳସିଆ ଅଂଚଳର ତାପସ ରଞ୍ଜନ ନାୟକ (୪୧) ଓ ସଦର ଥାନା ଅନ୍ତର୍ଗତ ବୁଆଁଳ ଅଂଚଳର ହେମନ୍ତ କୁମାର ମିସ୍ତ୍ରୀ (୫୨) ପ୍ରଭୃତି ଠିକା କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା । ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ତଦନ୍ତ ଆରମ୍ଭ ପରେ ପଞ୍ଚମ ଅଭିଯୁକ୍ତ ଆଇଟିଆରର ସ୍ଥାୟୀ ଡ଼୍ରାଇଭର ଉତ୍ତରପ୍ରଦେଶ ନିବାସୀ ସଚିନ କୁମାର ଓରଫ ଛେତାକୁ ଗିରଫ କରାଯାଇଥିଲା ।
ସୂଚନା ଯେ, ହନିଟ୍ରାପ୍ରେ ଶୀକାର ହୋଇ ଯୁବତୀଙ୍କ ପ୍ରେମ ଓ ଅର୍ଥ ଲୋଭରେ ଉକ୍ତ ୫ଜଣ ଅଭିଯୁକ୍ତ ଶତ୍ରୁ ଦେଶକୁ ଡିଆର୍ଡିଓର ଗୁପ୍ତ ତଥ୍ୟ ମହିଳାଙ୍କୁ ଜଣାଉଥିଲେ । ଏନେଇ ନୂଆଦିଲ୍ଲୀରେ ଭାରତୀୟ ଗୁଇନ୍ଦା ସଂସ୍ଥା (ଆଇବି) ଜାଣିପାରିଥିଲେ । ପରେ ଏନେଇ ଆଇବି ବାଲେଶ୍ୱର ପୋଲିସ ହେଡକ୍ୱାର୍ଟରକୁ ଅବଗତ କରାଇ ବାଲେଶ୍ୱରରେ ପହଞ୍ଚିଥିଲେ । ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ୬ଟି ଟିମ୍ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ଇତିମଧ୍ୟରେ ଡିଆର୍ଡିଓର ମୁଖ୍ୟ ସିକ୍ୟୁରିଟି ଅଧିକାରୀଙ୍କୁ ଆଇଜି ତାଙ୍କ ଅଫିସ୍କୁ ଡାକି ଏକ ଘଣ୍ଟା କାଳ ଆଲୋଚନା କରି ବହୁ ତଥ୍ୟ ପାଇଥିବାର ଜଣାପଡ଼ିଛି । ଉକ୍ତ ଘଟଣାର ତଦନ୍ତ କ୍ରାଉମ୍ବ୍ରାଞ୍ଚ ଓ ଏନ୍ଆଇଏ ମିଳିତ ଭାବେ ଜାରି ରଖିଥିବାର ଜଣାପଡ଼ିଛି ।