ଅଣଧାନ ଅର୍ଥକାରୀ ଫସଲଚାଷ ପ୍ରୋତ୍ସାହିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁୁବନେଶ୍ୱର : ଚାଷ ଓ ଚାଷୀର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଆରମ୍ଭ କରାଯାଇଥିବା ରେଙ୍ଗାଲି ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ୱ କେନାଲରେ ଚଳିତ ଖରିଫ୍ ଋତୁ ପାଇଁ ଯୋଗାଯାଇଥିବା କେନାଲ୍ ପାଣି କ୍ୟାଚମେଂଟ ଅଂଚଳ ଅନ୍ତର୍ଗତ ଚାଷୀମାନଙ୍କ ମନରେ ଖୁସି ଓ ଭରଷା ଆଣି ଦେଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରେଙ୍ଗାଲି ପ୍ରକଳ୍ପର ଜାଇକା ସହାୟତା ଅଂଶ ପ୍ରକଳ୍ପ ସମୀକ୍ଷାବେଳେ ଚାଷୀମାନଙ୍କ ନିକଟରୁ ନିଆଯାଇଥିବା ମତାମତ ରେକଡିଂରୁ ଏହା ଜଣାପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଜଣାଇଥିଲେଯେ ଚଳିତ ଖରିଫ୍ ଋତୁ ପାଇଁ ବାମ ପାର୍ଶ୍ୱ କେନାଲ୍ ବ୍ୟବସ୍ଥାରେ ୯୫୦୦ ହେକ୍ଟର ଚାଷ ଜମିକୁ ଯାଜପୁର କେନାଲ୍ ପାଣି ଯୋଗାଇ ଦିଆଯାଇଛି । ପ୍ରକଳ୍ପର ଅଗ୍ରଗତି ସମୀକ୍ଷାକରି ନୂଆ ଜଳସେଚନ ଯୋଗାଯାଉଥିବା ଅଂଚଳର ଚାଷୀମାନଙ୍କୁ ଅଣ-ଧାନ ଅର୍ଥକରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ ଉଦ୍ୟାନଚାଷ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଅଣଧାନ କୃଷି ଉତ୍ପାଦିତ ଦ୍ରବ୍ୟହିଁ କୃଷକଙ୍କୁ ଅଧିକ ଲାଭ ଦେବ । ଏହା ଦ୍ୱାରା ସେମାନଙ୍କର ରୋଜଗାର ବଢ଼ିବ, ଏବଂ, ଜଳସେଚିତ ଅଂଚଳରେ ଖାଦ୍ୟ-ପ୍ରକ୍ରିୟାକରଣ ଶିଳ୍ପସହ କୃଷି ବିପଣୀ ବୃଦ୍ଧି ପାଇବ । ସୁଇଟ୍ କର୍ଣ୍ଣ ମକା, ବାଜରା, ଚଣା, ହରଡ଼ ଆଦି ଲଘୁ ଶସ୍ୟ, ତୈଳବୀଜ, ଫଳଚାଷ, ବ୍ୟବସାୟ ଭିତିକ ପନିପରିବା ଚାଷ ଆଦିକୁ ଏହି ଅଂଚଳରେ ପ୍ରେତ୍ସାହିତ କରିବ ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ କ୍ଷେତ୍ର ସ୍ତରୀୟ ପ୍ରଦର୍ଶନ, କୌଶଳ ବିକାଶ ଏବଂ କୃଷକ ଅନୁପ୍ରେରଣା କାର୍ଯ୍ୟକ୍ରମ ଆଦି ଲଗାତାର ଭାବେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ସଂଘମାନଙ୍କୁ ନୂତନ କୃଷି-ଭିତିକ ଜିବୀକା ନିର୍ବାହ ପନ୍ଥା ବିଷୟରେ ଅନୁପ୍ରେରଣା ଓ ତାଲିମ୍ ଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଦିପ୍ତୀରଂଜନ ପଣ୍ଡା ଜଣାଇଥିଲେ ଯେ ବାମପାର୍ଶ୍ୱ କେନାଲର ଦୈର୍ଘ୍ୟ ୧୪୧ କି.ମି. ,ଏବଂ, ଏହା ସମଲ ବ୍ୟାରେଜଠାରୁ ବୈତରଣୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହି ପ୍ରକଳ୍ପ ମାଧ୍ୟମରେ ସମୁଦାୟ ୧ଲକ୍ଷ ୧୪ହଜାର ୩୦୦ ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରୁ ୦ ରୁ ୭୧ କି.ମି. ପର୍ଯ୍ୟନ୍ତ କେନାଲ୍ କାମ ସରି ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଇଛି । ବର୍ତମାନ ଜାଇକା ସହାୟତାରେ କେନାଲ୍ ୨ୟ ପର୍ଯ୍ୟାୟ ଅନ୍ତର୍ଗତ ୭୧ କି.ମି.ରୁ ୧୨୩ କି.ମି. ପର୍ଯ୍ୟନ୍ତ ମୁଖ୍ୟ କେନାଲ୍ ସହ ୪ଟି ଶଖା କେନାଲ୍ ଏବଂ ତତ୍ ସଂଲଗ୍ନ ବଂଟନ କେନାଲ୍ ସମୂହ ନିର୍ମାଣାଧିନ ଅଛି । ଜାଇକା ସହାୟତାରେ ନିର୍ମାଣ ହେଉଥିବା ପ୍ରାୟ ୫୨ କି.ମି. ମୁଖ୍ୟ କେନାଲ୍ ମାଧ୍ୟମରେ ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯିବ । ଏହି ଅଂଶର ନିର୍ମାଣ ପାଇଁ ୨୨୫୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି, ଯେଉଁଥିରୁ ଯାଇକା ଋଣ ୧୭୮୭ କୋଟି, ଏବଂ,ରାଜ୍ୟ ସରକାରଙ୍କ ଅଂଶ ୪୬୮ କୋଟି । ନିର୍ମାଣାଧିନ ଏହି ୫୨ କି.ମି. ଅଂଶରୁ ପ୍ରାୟ ନିର୍ମାଣ ସରିଥିବା ୨୫ କି.ମି. କେନାଲ୍ ମୁଖ୍ୟ କେନାଲ୍ ଓ ୨ଟି ଶାଖା କେନାଲ୍ ମାଧ୍ୟମରେ ଚଳିତ ଖରିଫ୍ ଋତୁ ପାଇଁ ଢେଙ୍କାନାଳ ଜିଲ୍ଲା ଅର୍ନ୍ତଗତ କଙ୍କଡ଼ାହାଡ ଓ ଭୁବନ ବ୍ଲକର ୫୮୪୬ ହେକ୍ଟର ,ଏବଂ, ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ବ୍ଲକ୍ର ୩୭୧୨ ହେକ୍ଟର ଏହିପରି ସମୁଦାୟ ୯୫୫୮ ହେକ୍ଟର ଜମିକୁ କେନାଲ ପାଣି ଯୋଗା ଯାଇଛି । ୨ୟ ପର୍ଯ୍ୟାୟ ପ୍ରକଳ୍ପର ଅବଶିଷ୍ଟ କେନାଲ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କାର୍ଯ୍ୟ ନିର୍ଘଂଟ ନିର୍ଦ୍ଧାରଣ କରିଥିଲେ । କ୍ଷେତ୍ରସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟାନ୍ୱୟନର ତିନିଟି ନିର୍ଣ୍ଣାୟକ ସମୟସୀମା ଧାର୍ଯ୍ୟ କରାଯାଇଥ ôଲା । ୨୦୨୨ ଜୁଲାଇ ସୁଦ୍ଧା ୧୮,୫୫୮ ହେକ୍ଟର, ୨୦୨୩ ଜୁଲାଇ ସୁଦ୍ଧା ୨୩,୫୫୮ ହେକ୍ଟର ଏବଂ ୨୦୪୪ ଜୁଲାଇ ସୁଦ୍ଧା ସମୁଦାୟ ୪୦ ହଜାର ହେକ୍ଟର ଜମିକୁ କେନାଲ୍ ପାଣି ଯୋଗାଣ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ସମୟାନୁବନ୍ଧିତ କାର୍ଯ୍ୟାନ୍ୱୟନ ନିମନ୍ତେ ମାସୱାରୀ କାର୍ଯ୍ୟ-ସାରଣୀ ପ୍ରସ୍ତୁତ କରି ନିୟମିତ ତଦାରଖ ନିମନ୍ତେ ମୁଖ୍ୟ ଶାସନ ସଚିବ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତି ଗର୍ଗଙ୍କୁ ପରାମର୍ଶ ଦେଇଥିଲେ ।