ହାଇକୋର୍ଟରେ ମୂର୍ତି ଉଚ୍ଚତା ବିବାଦ ମାମଲା
କଟକ : ଦଶହରା ମର୍ତି ବିବାଦକୁ ନେଇ ହାଇକୋର୍ଟରେ ଦାଏର ହେଲା ମାମଲା । ଏସଆରସିଙ୍କ ଦ୍ୱାରା ଜାରି ହୋଇଥିବା ସାନି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି କଟକ ବାଲୁ ବଜାର ପୂଜା କମିଟି ତରଫରୁ ମଙ୍ଗଳବାର ହାଇକୋର୍ଟରେ ଦାଏର ହୋଇଛି ରିଟ୍ ପିଟିସନ୍ ।
ପୂର୍ବବତ୍ ମୂର୍ତିର ଉଚ୍ଚତା ରଖିବାକୁ ଅନୁମତି ଦେବା ସହିତ ଏସଆରସିଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିର କ୍ଲଚ୍ ୪କୁ ରଦ୍ଦ କରିବା ଲାଗି ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି । ନିଜ ପିଟିସନରେ ଆବେଦନକାରୀ ଉଲ୍ଲେଖ କରିଛନ୍ତି ଯେ, ବାଲୁ ବଜାର ସ୍ଥିତ ବିନୋଦ ବିହାରୀ ପୀଠ ହେଉଛି ରାଜ୍ୟର ସର୍ବ ପୁରାତନ ପୂଜା ମଣ୍ଡପ । ଷୋଡ଼ଶ ଶତାବ୍ଦୀର ଏହି ପୁରାତନ ପୂଜା ମଣ୍ଡପରେ ଦଶହରା ପର୍ବ ହେଉଛି ସ୍ୱତନ୍ତ୍ର । ଯାହାର କୌଣସି ନୀତିକୁ ପରିବତନ କରାଯାଇପାରିବ ନାହିଁ । ସେହିପରି ଗତ ବାସନ୍ତୀ ଦୁର୍ଗା ପୂଜା ସମୟରେ ମୂର୍ତି ଉଚ୍ଚତାକୁ ନେଇ କୌଣସି କଟକଣା ନଥିବା ବେଳେ, ଦଶହରା ପର୍ବ ପାଇଁ ମୂର୍ତି ଉଚ୍ଚତାକୁ ୪ ଫୁଟ ଭିତରେ ରଖିବା ଯୁକ୍ତି ସଙ୍ଗତ ନୁହେଁ ବୋଲି ସେ କୋର୍ଟଙ୍କୁ ଦର୍ଶାଇଛନ୍ତି ।
ଗତବର୍ଷ ମଧ୍ୟ ବାଲୁ ବଜାର ପୂଜା କମିଟି ପକ୍ଷରୁ ପ୍ରଥମେ ହାଇକୋର୍ଟଙ୍କ ନିକଟରେ ମାମଲା ଦାୟର କରାଯାଇଥିଲା । କେତେକ ସର୍ତ ଆଧାରରେ ମୂର୍ତି ଉଚ୍ଚତା ପୂର୍ବଭଳି ରହିପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ ମଙ୍ଗଳବାର ଦାୟର କରାଯାଇଥିବା ପିଟିସନ କେତେଦୂର ଗ୍ରହଣୀୟ ହେଉଛି ଏବଂ ଏ ସଂକ୍ରାନ୍ତରେ ହାଇକୋର୍ଟ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାକୁ ଏବେ ଅପେକ୍ଷା ରହିବ ।