ପାରାଲିମ୍ପିକ୍ସ : ମିକ୍ସଡ ସେମିରେ ହାରିଲେ ପ୍ରମୋଦ ଓ ପଲକ ଯୋଡ଼ି
ଟୋକିଓ : ଚଳିତ ପାରାଲିମ୍ପିକ୍ସର ମିକ୍ସଡ ଇଭେଣ୍ଟର ଏସ୍ଏଲ୩-ଏସ୍ୟୁ୫ରେ ପ୍ରମୋଦ ଓ ପଲକ କୋହଲି ଦମଦାର ପ୍ରଦର୍ଶନ କରି ସେମିକୁ ଯାଇଥିଲେ ହେଁ ଆଗକୁ ବଢ଼ି ପାରିନାହାନ୍ତି। ଏହି ମ୍ୟାଚରେ ସେମାନଙ୍କୁ ଇଣ୍ଡୋନେସିଆର ଏସ୍ ହ୍ୟାରୀ ଓ ରାତ୍ରୀଙ୍କ ଠାରୁ ଏକ ତରଫା ୦-୨ରେ ପରାସ୍ତ ହେବାକୁ ପଡ଼ିଛି।
ପ୍ରମୋଦ ସିଙ୍ଗଲ୍ସରେ ଭଲ ପ୍ରଦର୍ଶନ କରିଥିବାରୁ ମିକ୍ସଡ ଇଭେଣ୍ଟରେ ତାଙ୍କ ଠାରୁ ଦେଶ ଦମଦାର ପ୍ରଦର୍ଶନର ଆଶା କରିଥିଲେ। କିନ୍ତୁ ସେମିରେ ପ୍ରୋମଦ ଓ ପଲକ ଯୋଡ଼ିଙ୍କୁ ଇଣ୍ଡୋନେସିଆର ଦୁଇ ଖେଳାଳି ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲେ। ପ୍ରଥମ ସେଟକୁ ହ୍ୟାରୀ ଓ ରାତ୍ରୀ ୨୧-୩ରେ ଜିତି ନେଇଥିବା ବେଳେ ଦ୍ୱିତୀୟ ସେଟକୁ ୨୧-୧୫ରେ ଜିତି ଫାଇନାଲ ଟିକେଟ ହାସଲ କରିଥିଲେ। ଏହି ମ୍ୟାଚ୍କୁ ଜିତିବା ପାଇଁ ସେମାନଙ୍କୁ ମାତ୍ର ୧୯ ମିନିଟର ସମୟ ଲାଗିଥିଲା। ପ୍ରଥମ ସେଟକୁ ଜିତିବା ପାଇଁ ୭ ମିନିଟ୍ ଓ ଦ୍ୱିତୀୟ ସେଟକୁ ସେମାନେ ୧୨ ମିନିଟରେ ଶେଷ କରିଥିଲେ। ପ୍ରମୋଦ ଓ ପଲକ ସେମିରେ ହାରିଥିଲେ ହେଁ ସେମାନଙ୍କ ପାଖରେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ରହିଛି। ବ୍ରୋଞ୍ଜ ପଦକ ପାଇଁ ଉଭୟ ଜାପାନର ଡି ଫୁଜିହାରା ଓ ଏ ସୁଗିନୋଙ୍କ ସହ ଲଢ଼େଇ କରିବେ।