ସେପ୍ଟେମ୍ବରରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ନିଅଣ୍ଟିଆ ବର୍ଷା ଜାରି ରହିଥିବା ବେଳେ ସେପ୍ଟେମ୍ବର ମାସରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହେବ ବୋଲି ଜଣାପଡିଛି । ସେପ୍ଟେମ୍ବର ୩ରୁ ୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୩ ତାରିଖରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଗଜପତି, ୫ ଓ ୬ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟ ଜିଲ୍ଲାଗୁଡ଼ିକରେ କାଁ ଭାଁ ବର୍ଷା ହୋଇପାରେ।
ତେବେ ଉତ୍ତର, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ସମ୍ବଲପୁର ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସେଭଳି ବର୍ଷା ହେବ ନାହିଁ। କଟକ, ପୁରୀ, ଗଞ୍ଜାମ, ଖୋର୍ଧା, ଗଜପତି, କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର ଓ କୋରାପୁଟ ଜିଲାରେ ସ୍ୱାଭାବିକ ଠାରୁ ୪୦% ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇପାରେ। କିନ୍ତୁ କୌଣସି ଜିଲାରେ ଅତି ନିଅଣ୍ଟିଆ ବର୍ଷା ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ସୂଚନା ଯେ, ଚଳିତବର୍ଷ ମୌସୁମୀ ସମୟରେ ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୨୯% ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ ସ୍ୱାଭାବିକ ଭାବେ ୯୩୫.୮ ମିମି ବର୍ଷା ହେବା କଥା। ମାତ୍ର ଚଳିତବର୍ଷ ୬୬୧.୧ ମିମି ହୋଇଛି। ୧୨୦ ବର୍ଷ ମଧ୍ୟରେ ୬ଷ୍ଠ ଥର ପାଇଁ ଏଭଳି ପରିସ୍ଥିତି ଉପୁଜିଛି। ପୂର୍ବରୁ ୧୯୨୪ରେ ୬୩୬.୨ ମିମି, ୧୯୫୪ରେ ୬୪୬.୮ ମିମି, ୧୯୭୪ରେ ୬୪୧.୪, ୧୯୮୭ରେ ୬୪୧.୪ ଓ ୧୯୯୮ରେ ୬୫୭.୫ ମିମି ବର୍ଷା ହୋଇଥିଲା। ଅଗଷ୍ଟ ମାସରେ ସ୍ୱାଭାବିକ ଭାବେ ୩୬୬.୪ ମିମି ବର୍ଷା ହେବାକୁ ଥିବା ବେଳେ ଏଥର ମାତ୍ର ୨୦୪.୯ ମିମି ହୋଇଛି। ଅର୍ଥାତ୍ ୪୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ପୂର୍ବରୁ ୧୯୬୫ ଅଗଷ୍ଟରେ ୧୮୭.୩ ମିମି, ୧୯୮୭ରେ ୧୯୦.୩ ମିମି, ୧୯୯୮ରେ ୨୦୩.୫ ମିମି ବର୍ଷା ହୋଇଥିଲା। ମୌସୁମୀ ସମୟ ଅବଧିରେ ମାତ୍ର ୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଯାଜପୁରରେ ସବୁଠାରୁ ଅଧିକ ୫୪% ନିଅଣ୍ଟିଆ ହୋଇଥିବା ବେଳେ ଭଦ୍ରକରେ ୪୮%, ବଲାଙ୍ଗୀରରେ ୪୫% ଓ ଅନୁଗୁଳ ଜିଲାରେ ୪୦% ନିଅଣ୍ଟିଆ ରହିଛି। ଅଗଷ୍ଟ ମାସରେ ମାତ୍ର ୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ୮ଟି ଜିଲ୍ଲା ଯଥା ବୌଦ୍ଧ(୭୫%), ସମ୍ବଲପୁର ଓ ସୋନପୁର(୬୮%), ଅନୁଗୁଳ ଓ ବଲାଙ୍ଗୀର(୬୩%), କନ୍ଧମାଳ(୬୨%), ବରଗଡ଼ ଓ ଯାଜପୁର(୬୧%)ରେ ଅଧିକ ନିଆଣ୍ଟିଆ ହୋଇଛି।